ସାଧାରଣତନ୍ତ୍ର ଦିବସରେ ବଡ଼ ଘୋଷଣା, ସୁପ୍ରିମକୋର୍ଟଙ୍କ ୧ହଜାର ନିଷ୍ପତ୍ତିର ହେବ ଅନୁବାଦ, ମିଳିବ ୧୨ଟି ଭାଷାରେ
25/01/2023 at 7:52 PM

ନୂଆଦିଲ୍ଲୀ ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ସୁପ୍ରିମକୋର୍ଟ ୧ହଜାରରୁ ଅଧିକ ରାୟ ଜାରି କରିବେ। କୋର୍ଟଙ୍କ ଏହି ସବୁ ରାୟ ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି। ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ ବୁଧବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାୟର ଅନୁବାଦ ଏବେ ଦ୍ରୁତ ଗତିରେ କରାଯାଉଛି। ଚିଫ ଜଷ୍ଟିସ୍ କହିଛନ୍ତି ଯେ ରାୟର ଅନୁବାଦ ଓଡ଼ିଆ, ଅସମିୟା,ଖାସି, ଗାରୋ, ପଞ୍ଜାବୀ, ନେପାଳୀ ଓ ବଙ୍ଗାଳୀ ଭାଷାରେ ଅନୁବାଦ କରାଯାଉଛି।
ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଇଲେକ୍ଟ୍ରୋନିକ ସୁପ୍ରିମକୋର୍ଟ ରିପୋର୍ଟସ୍ (ଇ-ଏସସିଆର) ପ୍ରକଳ୍ପରେ ଗଣତନ୍ତ୍ର ଦିବସରୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଥିବା ଭାଷାମାନଙ୍କରେ କୋର୍ଟଙ୍କ ରାୟ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ କରାଯାଉଛି। ପୀଠ ଶୁଣାଣି ଲାଗି ବସିବା ମାତ୍ରେ ସିଜେଆଇ ଓକିଲଙ୍କୁ କହିଛନ୍ତି ଯେ ଅଦାଲତ ଗୁରୁବାର ଠାରୁ ଇ-ଏସସିଆର ପ୍ରକଳ୍ପରେ ଗୋଟିଏ ଅଂଶର କ୍ରିୟାନ୍ୱୟନ ଆରମ୍ଭ କରିବେ। ଏଣୁ ଅନୁସୂଚୀରେ ଥିବା କିଛି ସ୍ଥାନୀୟ ଭାଷାରେ ରାୟ ଲୋକଙ୍କୁ ନିଶୁଳ୍କରେ ଉପଲବ୍ଧ କରାଯାଇ ପାରିବ।
ସେ କହିଛନ୍ତି ଯେ ଇ-ଏସସିଆର ବ୍ୟତୀତ ଏବେ ଆମ ପାଖରେ ସ୍ଥାନୀୟ ଭାଷାମାନଙ୍କରେ ସୁପ୍ରିମକୋର୍ଟର ୧୦୯୧ରାୟ ମଧ୍ୟ ରହିଛି ଯାହା ଗଣତନ୍ତ୍ର ଦିବସରୁ ଉପଲବ୍ଧ ହେବ। ସୁପ୍ରିମକୋର୍ଟଙ୍କ ରାୟ ଇ-ଏସସିଆର ପ୍ରକଳ୍ପ ବ୍ୟତୀତ ସୁପ୍ରିମକୋର୍ଟଙ୍କ ୱେବସାଇଟ୍, ଏହାର ମୋବାଇଲ ଆପ୍ ଓ ଜାତୀୟ ନ୍ୟାୟିକ ଡାଟା ଗ୍ରିଡ୍ ନିର୍ଣ୍ଣୟ ପୋର୍ଟାଲରେ ମଧ୍ୟ ଉପଲବ୍ଧ ହେବ।
ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନର ଅଷ୍ଟମ ଅନୁଛେଦରେ ୨୨ଟି ଭାଷା ରହିଛି। ଏଥିରେ ଅସମିୟା, ବଙ୍ଗାଳୀ, ଗୁଜରାଟି, ହିନ୍ଦୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟଲମ, ମଣିପୁରୀ, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ତାମିଲ,ତେଲଗୁ, ଊର୍ଦ୍ଦୁ, ବୋଡୋ, ସାନ୍ଥାଳୀ, ମୈଥିଲୀ ଓ ଡୋଗ୍ରୀ ଭାଷା ମଧ୍ୟ ସାମିଲ ଅଛି।