ମେ ୧୭ରେ ଶିକ୍ଷା ସଚିବମାନଙ୍କ ବୈଠକ ଡାକିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ, CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି

Published By : Prameya-News7 Bureau | May 15, 2021 IST

ନୂଆଦିଲ୍ଲୀ ୧୫।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ମେ ୧୭ ତାରିଖରେ କୌଣସି ନିଷ୍ପତ୍ତି ହୋଇପାରେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୋମବାର ରାଜ୍ୟ ଶିକ୍ଷା ସଚିବମାନଙ୍କ ଜରୁରି ବୈଠକ ଡାକିଛନ୍ତି। କୋଭିଡ ଦ୍ୱିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ୧୦ମ ପରୀକ୍ଷା ଭଳି ସରକାର ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରୁଛନ୍ତି। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୈଠକ ଏ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଡକୁ ଏବେ ଅଙ୍ଗୁଳିନିର୍ଦ୍ଦେଶ କରୁଛି। 

{"id":452806,"sizeSlug":"large","linkDestination":"none"}

ଏହି ବୈଠକ ଭର୍ଚୁଆଲ ହେବାକୁ ଥିବା ବେଳେ ଏଥିରେ ଶିକ୍ଷା କ୍ଷେତ୍ର ଉପରେ ମହାମାରୀର ପ୍ରଭାବ ନେଇ ଆଲୋଚନା ହୋଇପାରେ। ଏହା ଛଡା ବୈଠକରେ ଅନଲାଇନ ପାଠପଢାକୁ ପ୍ରୋତ୍ସାହନ ସମେତ ନୂଆ ଶିକ୍ଷା ନୀତି (ଏନଇପି)ର କାର୍ଯ୍ୟକାରିତା ନେଇ ଚର୍ଚ୍ଚା ହୋଇପାରେ। ତେବେ ଏନଇପି ଲାଗୁ କରିବା ପାଇଁ ରାଜ୍ୟମାନଙ୍କ ପ୍ରସ୍ତୁତି ଜାଣିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷାମନ୍ତ୍ରାଳୟଙ୍କ ସୂତ୍ରରୁ ସୂଚନା ମିଳିଛି।

ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଗତ ମାସରେ ସିବିଏସଇ ୧୦ମ ପରୀକ୍ଷା ସ୍ଥଗିତ କରିଦେଇଥିଲେ। ତେବେ ଦ୍ୱାଦଶ ବୋର୍ଡ ପରୀକ୍ଷା ମେ ୪ ତାରିଖକୁ ଅନୁସୂଚିତ ହୋଇଥିଲେ ମଧ୍ୟ କରୋନା ପରିସ୍ଥିତି ଲାଗି ଅନୁଷ୍ଠିତ ହୋଇନାହିଁ। ତେବେ ହୁଏତ ବୋର୍ଡ ଏହି ପରୀକ୍ଷା ସ୍କ୍ରାପ ଅଥବା ରଦ୍ଦ କରିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଏପରି କୌଣସି ନିଷ୍ପତ୍ତି ହୁଏ ତେବେ ଅଧିକାରୀକ ଭାବେ ନିଷ୍ପତ୍ତି ସାର୍ବଜନିକ କରାଯିବ ବୋଲି ମନ୍ତ୍ରାଳୟ ଅଧିକାରୀ କହିଛନ୍ତି।  

{"id":452807,"sizeSlug":"large","linkDestination":"none"}

ତେବେ ଏହା ପୂର୍ବରୁ ଶୁକ୍ରବାର ଦ୍ୱାଦଶ ବୋର୍ଡ ପରୀକ୍ଷା ରଦ୍ଦ କରିବା ଲାଗି ସର୍ବୋଚ୍ଚନ୍ୟାୟାଳୟରେ ଏକ ପିଟିସନ ଦାଖଲ ହୋଇଥିବା ଜଣାପଡିଛି। ଏଥିରେ ଦେଶରେ କୋଭିଡ-୧୯ ମହାମାରୀ ଯେପରି ବ୍ୟାପିବାରେ ଲାଗିଛି ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବା ସିବିଏସଇଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କୁହାଯାଇଛି। ପରିସ୍ଥିତି ଏବେ ଏପରି ହୋଇପଡିଛି ଯେ ଉଭୟ ଅନଲାଇନ ଓ ଅଫଲାଇନ କୌଣସି ପ୍ରକାର ପରୀକ୍ଷା କରାଯାଇ ନପାରେ। ସେପଟେ ପରୀକ୍ଷା ଫଳ ଘୋଷଣାରେ ବିଳମ୍ବ ବିଦେଶ ବିଶ୍ୱବିଦ୍ୟାଳୟରେ ପଢିବା ଲାଗି ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିପାରେ।

ମାମଲାରେ ପିଟିସନ ଦାଖଲ କରିଥିବା ଓକିଲ ମମତା ଶର୍ମା ସିବିଏସଇ ଓ ସିଆଇଏସସିଇ ପରୀକ୍ଷା ଅବଜେକ୍ଟିଭ ମେଥଡଲୋଜିରେ ଆୟୋଜନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟଥା ୧୨ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.