ମୁମ୍ବାଇ ୨୦।୨: ପିଆଜ ରପ୍ତାନୀ କଟକଣାର ସକରାତ୍ମକ ପ୍ରଭାବ ଏବେ ଦେଶର ପକାଇକାରୀ ବଜାର ଉପରେ ପଡିଛି। ଫଳରେ ଲସଲଗାଓଁ ମଣ୍ଡିରେ ପିଆଜ କ୍ୱିଣ୍ଟଲ ପିଛା ଦର ମଙ୍ଗଳବାର ୧,୮୦୦ ଟଙ୍କାକୁ ପହଞ୍ଚି ଯାଇଛି। ଏହା ପୂର୍ବରୁ ଶନିବାର ଏହି ଦର ୧,୨୮୦ ଟଙ୍କା ଥିଲା। ଦେଶର ପିଆଜ ମଣ୍ଡିମାନଙ୍କ ମଧ୍ୟରେ ସବୁଠୁ ବଡ଼ ମଣ୍ଡି ମହାରାଷ୍ଟ୍ରର ଲସଲଗାଓଁରେ ପିଆଜର ପାଇକାରୀ ଦର ପାଖାପାଖି ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢିଛି। ଏପରି ଦରବୃଦ୍ଧି ସେତେବେଳେ ଦେଖାଯାଇଛି ଯେତେବେଳେ କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରୁ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।
ପିଆଜ ରପ୍ତାନୀ କଟକଣା ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା, ଏହା ସହ କମିଟି ୩ଲକ୍ଷ ମେଟ୍ରିକ ଟନ ପିଆଜ ରପ୍ତାନୀକୁ ମଞ୍ଜୁରୀ ମଧ୍ୟ ଦେଇଥିଲା। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାରତୀ ପାୱାର ସରକାର ପିଆଜ ରପ୍ତାନୀ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ। ସେ କହିଥିଲେ ଯେ ସରକାର ଖୁବ୍ ଶୀଘ୍ର ଏ ବାବଦେ ନୋଟିଫିକେସନ ମଧ୍ୟ ଜାରି କରିବେ।
{"id":911532,"sizeSlug":"full","linkDestination":"none"}ଏପିଏମସି ଅଧିକାରୀ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତିର ପାଇକାରୀ ବଜାର ଉପରେ ସକରାତ୍ମକ ପ୍ରଭାବ ପଡିଛି। ଫଳରେ ଦିନର କାରବାର କାଳରେ ପିଆଜର ଅଧିକତମ ଦର କ୍ୱିଣ୍ଟଲ ପିଛା ୨,୧୦୦ ଟଙ୍କାକୁ ପହଞ୍ଚିଥିବା ବେଳେ ସର୍ବନିମ୍ନ ଦର ୧,୦୦୦ ଟଙ୍କାକୁ ପହଞ୍ଚିଛି। ମଙ୍ଗଳବାର ଦିନର କାରବାର କାଳରେ ୧୦ ହଜାର କ୍ୱିଣ୍ଟଲ ପିଆଜ କାରବାର ହୋଇଛି। ଖୁଚୁରା ବଜାରରେ ଲଗାତାର ପିଆଜ ଦର ବୃଦ୍ଧି ଯୋଗୁ ସରକାର ଗତବର୍ଷ ଡିସେମ୍ବର ମାସରେ ପିଆଜ ରପ୍ତାନୀ ଉପରେ କଟକଣା ଜାରି କରିଥିଲେ।
ରପ୍ତାନୀ କଟକଣା ଜାରି ହେବା ପରେ ପିଆଜ କ୍ୱିଣ୍ଟଲ ପିଛା ଦର ୩,୯୦୦ ଟଙ୍କାରୁ ୬୭ ପ୍ରତିଶତ ହ୍ରାସ ହୋଇ ୧,୨୮୦ ଟଙ୍କାକୁ ପହଞ୍ଚି ଯାଇଥିଲା। ଫଳରେ ଚାଷୀଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। ଚାଷୀଙ୍କ ଅନୁସାରେ ପିଆଜ ଦର କ୍ୱିଣ୍ଟଲ ପିଛା ୧,୮୦୦ ଟଙ୍କା ରହିଲେ ଚାଷ ବାବଦ ଖର୍ଚ୍ଚ ଭରଣା ହୋଇପାରିବ। ଏହାଠାରୁ ହ୍ରାସ ହେଲେ ଚାଷ ବାବଦ ଖର୍ଚ୍ଚ ଉଠାଇବା କଷ୍ଟକର ହେବ। ରପ୍ତାନୀ କଟକଣା ଯୋଗୁ ଚାଷୀଙ୍କୁ ଗତ ୩ ମାସରେ ପ୍ରଚୁର କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। ହେଲେ ଏବେ ବଜାରରେ ଦର ବଢିବା ଚାଷୀଙ୍କ ମୁହଁରେ ହସ ଫେରାଇ ଆଣିଛି।