ବିଜେପିରେ ଯୋଗଦେଲେ ଓମାର ଅବଦୁଲ୍ଲାଙ୍କ ପୂର୍ବତନ ଉପଦେଷ୍ଟା ଦେବେନ୍ଦ୍ର ରାଣା, ନେସନାଲ କନଫରେନ୍ସ ବିରୁଦ୍ଧରେ କଲେ ସାଂଘାତିକ ଅଭିଯୋଗ

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧/୧୦ : ଜାମ୍ମୁ କାଶ୍ମୀରରେ ବଢିବାରେ ଲାଗିଛି ବିଜେପିର ଦବଦବା । ନେସନାଲ କନଫରେନ୍ସ (NC) ପାର୍ଟିର ଜାମ୍ମୁ ସଭାପତି ଦେବେନ୍ଦ୍ର ସିଂହ ରାଣା ସୋମବାର ବିଜେପିରେ ଯୋଗଦେଇଛନ୍ତି । ପୂର୍ବରୁ ନେସନାଲ କନଫରେନ୍ସ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରିସାରିଛନ୍ତି ଦେବେନ୍ଦ୍ର ରାଣା । ସେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସାନ ଭାଇ ।  

ତିନି ତିନି ଥରର ବିଧାୟକ ଦେବେନ୍ଦ୍ର ସିଂହ ରାଣା ନେସନାଲ କନଫରେନ୍ସ ପାର୍ଟିର ପ୍ରମୁଖ ଚେହେରା ଥିଲେ । ଗତ ୨୦୧୪ରେ ଜାମ୍ମୁ ବିଧାନସଭା ନିର୍ବାଚନରେ ବିଜେପି କ୍ଲିନ୍‌ ସ୍ବିପ୍‌ କରିଥିଲେ ସୁଦ୍ଧା ଏନ୍‌ସି ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ନାଗ୍ରୋଟାରୁ ସେ ବିଜୟୀ ହୋଇଥିଲେ । ନେସନାଲ କନଫ​‌ରେନ୍ସ ଦଳର ଭୋଟ ବ୍ୟାଙ୍କ୍‌ ବଢାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଏହା ବ୍ୟତିତ ହିନ୍ଦୁ ଜନସଂଖ୍ୟା ବହୁଳ ଜାମ୍ମୁରେ ତାଙ୍କର ଦବଦବା ରହିଛି  ।

ତେବେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ସିଂହ ଏବଂ ହରଦୀପ ସିଂହ ପୁରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି ଦେବେନ୍ଦ୍ର ସିଂହ ରାଣା । ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି, ‘ଜାମ୍ମୁ କାଶ୍ମୀରର ବିକାଶ ପାଇଁ ଜାମ୍ମୁ ଡିକ୍ଲାରେସନ୍‌ ଘୋଷଣା କରିଥିଲି । କିନ୍ତୁ ଜାମ୍ମୁକୁ ଅଣଦେଖା କରାଗଲା । ଏହା ସହିତ ଡୋଗ୍ରାମାନେ ମଧ୍ୟ ଅଣଦେଖା ହେଲେ । କିନ୍ତୁ ବିଜେପି ଏ ଦିଗ​‌ରେ କାର୍ଯ୍ୟ କରିବାକୁ ଆଗେଇ ଆସିଲା ତେଣୁ ଆଜି ମୁଁ ବିଜେପିରେ ଯୋଗଦେଲି ।’

ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି, ଜାମ୍ମୁ କାଶ୍ମୀରର ବିକାଶ ପାଇଁ କାମ କରୁଥିଲି ଏବେ ଦଳ ପରିବର୍ତ୍ତନ ପରେ ଏ ଦିଗରେ ଆହୁରି ଉତ୍ସାହିତ ହୋଇ କାମ କରିବି । ଏହା ସହିତ ଜାମ୍ମୁ ଡିକ୍ଲାରେସନ୍‌ରେ ଯୋଗଦେବାକୁ ଅନ୍ୟମାନଙ୍କୁ ମଧ୍ୟ ଆମନ୍ତ୍ରିତ କରିଛନ୍ତି । ସେ କହିଛନ୍ତି କିଛି ଦଳ ରାଜ୍ୟକୁ ମଜବୁତ କରିବା ବଦଳରେ କେବଳ ରାଜନୀତି କରୁଛନ୍ତି ।

ରାଣାଙ୍କ ବ୍ୟତିତ ନେସନାଲ କନଫରେନ୍ସ ଦଳର ପୂର୍ବତନ ବିଧାୟକ ସୁରଜିତତ ସିଂହ ସ୍ଲାଥିୟା ବିଜେପିରେ ଯୋଗଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.