ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ମହାସ୍ନାନ କରିବେ ମହାବାହୁ, ହାତୀବେଶରେ ଦେବେ ଦିବ୍ୟ ଦର୍ଶନ, ପହଣ୍ଡି ଜାରି

Published By : Prameya-News7 Bureau | June 22, 2024 IST

ପୁରୀ,୨୨/୦୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାସ୍ନାନ କରିବେ ମହାବାହୁ । ସ୍ନାନ ଯାତ୍ରାରେ ହାତୀବେଶରେ ସଜେଇ ଚତୁର୍ଦ୍ଧାମୂରତି । ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଶ୍ରୀମନ୍ଦିର ପରିସର ଥିବା ସୁନା  କୂଅରୁ ୧୦୮ କଳସ ଜଳ ଅଣାଯାଇ  ଅଭିମନ୍ତ୍ରିତ ଓ ସୁବାସିତ କରାଯିବା ପରେ ଏଥିରେ ମହାପ୍ରଭୁଙ୍କ ଦିବ୍ୟସ୍ନାନ କରାଯିବ । ପରେ ମହାପ୍ରଭୁଙ୍କ ଦେବଦୁର୍ଲଭ ହାତୀବେଶ ହେବ । 


Watch Live: ମହାପ୍ରଭୁଙ୍କ ସ୍ନାନଯାତ୍ରା | ଦେଖନ୍ତୁ ଜଗନ୍ନାଥଙ୍କ ପହଣ୍ଡି | Snana Yatra 2024 | News7 Odia

ଶନିବାର ଭୋର୍‌ ୫ଟାରୁ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଦିନ ୧୨ଟା  ୨୦ରୁ ୧ଟା ୪୫ ଭିତରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଅନୁଷ୍ଠିତ ହେବ । ଦିନ ୩ଟାରେ ଛେରା ପହଁରା, ୩ଟା ୪୦ରେ ହାତୀବେଶ ଓ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା  ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବାକୁ ନୀତି ନିର୍ଘଣ୍ଟ  କରାଯାଇଛି । ବାହୁଡ଼ା ପହଣ୍ଡି ରାତି  ସାଢ଼େ ୧୧ଟାରୁ କରାଯିବ । 

ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ  ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ  କରାଯାଇଛି । ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୨୬ଜଣ   ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ମୁଖ୍ୟ   ଶାସନ ସଚିବ ପ୍ରଦୀପ ଜେନା ଉପସ୍ଥିତ  ରହି ଶାନ୍ତିଶୃଙ୍ଖଳାରେ ସ୍ନାନଯାତ୍ରା  ସମାପନ ନିମନ୍ତେ ଦୃଷ୍ଟି ଦେଉଛନ୍ତି ।  ଶ୍ରୀମନ୍ଦିର, ବଡ଼ଦାଣ୍ଡ, ଶ୍ରୀମନ୍ଦିର ସଂଲଗ୍ନ  ବିଭିନ୍ନ ସାହି, ସମୁଦ୍ରକୂଳ ରାସ୍ତା, ପୁରୀ ଭୁବନେଶ୍ୱର ରାଜପଥ, ତୀର୍ଥ ପୁଷ୍କରଣୀ ପ୍ରଭୃତି ବିଭିନ୍ନ ସ୍ଥାନରେ ଯାତ୍ରୀ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ଓ ମାଜିଷ୍ଟ୍ରେଟ ମୁତୟନ ହୋଇଛନ୍ତି । ସେହିପରି ପ୍ରଚଣ୍ଡ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବା ନିମନ୍ତେ ତଥା ଶ୍ରଦ୍ଧାଳୁଙ୍କ ଉପରେ  ପାଣି ସିଞ୍ଚନ କରିବାକୁ ଅଗ୍ନିଶମ ଓ ୱାଟକୋ ପକ୍ଷରୁ ପଦକ୍ଷେପ  ନିଆଯାଇଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ରାସ୍ତା ଦେଇ ଶ୍ରୀକ୍ଷେତ୍ରରେ  ପହଞ୍ଚିବା ପରେ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରି   ବଡ଼ଦାଣ୍ଡରେ ପହଞ୍ଚିବେ । ପରେ ମାର୍କେଟ ଛକରୁ ବ୍ୟାରିକେଟ ଯୋଗେ ଶ୍ରୀମନ୍ଦିର ସିଂହଦ୍ୱାର ହୋଇ ଶ୍ରୀମନ୍ଦିରରେ ପ୍ରବେଶ  କରି ଠାକୁରଙ୍କୁ ଦର୍ଶନ କରିବେ । ଠାକୁରଙ୍କ ପହଣ୍ଡି ପରେ   ଏହି ଦର୍ଶନ ବ୍ୟବସ୍ଥାର ସୁଯୋଗ ମିଳିବ । ନଚେତ୍‌ ଶ୍ରୀମନ୍ଦିର   ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଠିଆ ହୋଇ ମଧ୍ୟ ସ୍ନାନ  ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ ଲାଭ କରିହେବ । ସ୍ନାନ  ଯାତ୍ରା ଦେଖିବାକୁ ବସ୍‌ ଓ ଟ୍ରେନ୍‌ରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ   ଆସିବେ । ତେଣୁ ଶନିବାର ବସ୍‌ ଓ ଟ୍ରେନ୍‌ରେ ଓଭରଲୋଡ଼ିଂ   ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଏହାକୁ ନିୟନ୍ତ୍ରଣ କରିବାକୁ  ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩ଟି ସ୍କ୍ୱାଡ୍‌ ଗଠନ  ହୋଇଛି । ଏହି ସ୍କ୍ୱାଡ୍‌ ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ  ଓ ପୁରୀ-ବ୍ରହ୍ମଗିରି ରାଜପଥରେ ଓଭରଲୋଡ଼ିଂ ବ୍ୟବସ୍ଥାକୁ  ତଦାରଖ କରିବେ । ସେହିପରି ରେଲୱେ ବିଭାଗ ପକ୍ଷରୁ  ଓଭରଲୋଡ଼ିଂ ଉପରେ ନଜର ରଖିବାକୁ ଆର୍‌ପିଏଫ୍‌କୁ ଦାୟିତ୍ୱ  ଦିଆଯାଇଛି ।

  • Deva Snana Purnima 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.