ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ଭୋର୍ ୪ ଟାରୁ ୬ଟା ମଧ୍ୟରେ ସରିବ ପହଣ୍ଡି ବିଜେ

Published By : Prameya-News7 Bureau | June 13, 2022 IST

ପୁରୀ: ଆସନ୍ତାକାଲି ସ୍ନାନପୂର୍ଣ୍ଣିମା । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ଦେଖିବା ସହ ମହାପ୍ରଭୁଙ୍କ ଗଜବେଶକୁ ସିଧାସଳଖ ଦର୍ଶନ କରିବେ ଭକ୍ତ । ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ଦେଖିବ ୧୪ ବ୍ରହ୍ମାଣ୍ଡ । ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଦୁଇ ବର୍ଷ ପରେ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିବାକୁ ଅଥୟ ହେଲାଣି ଭକ୍ତର ମନ । ଆସନ୍ତା କାଲି ଭୋର୍ ୪ଟାରୁ ୬ ମଧ୍ୟରେ ଶେଷ ହେବ ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ସକାଳ ୯ଟାରୁ ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ସ୍ନାନନୀତି । ଦିନ ୧୨ଟା ୧୫ରେ ଛେରା ପହଁରା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ଗଜାନନ ବେଶ କରାଯିବ । ସାହାଣମେଲା ଦର୍ଶନ ସଂଖ୍ୟା ୬ଟାର ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ । ରାତି ୧୦ଟାରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।

ତେବେ ଆସନ୍ତାକାଲି ମହାପ୍ରଭୁଙ୍କ  ସ୍ନାନଯାତ୍ରା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରଥମ ଥର ପାଇଁ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି । ତେବେ ବଡ଼ଦାଣ୍ଡରେ ଦୁଇ ପ୍ରକାର ବ୍ୟାରିକେଡ୍ କରାଯାଇଛି । ଯେଉଁମାନେ ବଡ଼ଦାଣ୍ଡରେ ଠିଆ ହୋଇ ଚତୁର୍ଦ୍ଧାବିଗ୍ରହଙ୍କ ଦୁର୍ଲ୍ଲଭ ସ୍ନାନ ଦେଖିବାକୁ ଚାହିଁବେ ସେମାନଙ୍କ ପାଇଁ ଅଲଗା ବ୍ୟାରିକେଡ୍ ହୋଇଥିବା ବେଳେ ଶ୍ରୀମନ୍ଦିର ପଟୁ ସ୍ନାନବେଦୀକୁ ଆସି ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତଙ୍କ ଲାଗି ଅଲଗା ବ୍ୟାରିକେଡ୍ କରାଯାଇଛି ।  ସ୍ନାନଯାତ୍ରା ପାଇଁ ପୁରୀରେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେହିଭଳି ୪୦ରୁ ଅଧିକ ସ୍ଥାନରେ ସିସିଟିଭି ଲଗାଯିବା ସହ ଏଥି ପାଇଁ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲରୁମ୍ କରାଯାଇଛି ।

ଆସନ୍ତାକାଲି ସ୍ନାନଯାତ୍ରା ପାଇଁ ଆଜି ସେନାପଟା ଲାଗି ନୀତି କରିଛନ୍ତି ଦଇତାପତି ସେବାୟତ । ଏହି ଗୁପ୍ତନୀତି ପାଇଁ ଆଜି ସକାଳୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏମିତିକି ଶ୍ରୀମନ୍ଦିର ବେଢ଼ାରେ ଥିବା ଅନ୍ୟ ମନ୍ଦିରଗୁଡ଼ିକରେ ଦର୍ଶନ ବନ୍ଦ କରାଯାଇଥିବାରୁ ଭକ୍ତ ଓ ସେବାୟତଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଖୋଲିଥିଲା ଶ୍ରୀମନ୍ଦିର ସିଂହଦ୍ବାର ।  ସେହିଭଳି ଆସନ୍ତାକାଲି ସ୍ନାନଯାତ୍ରା ପାଇଁ ବହୁସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଓ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.