ଓଡ଼ିଆ ଆଇଏଏସ୍ ଦେବାଶିଷ ପଣ୍ଡା ହେଲେ କେନ୍ଦ୍ର ଅର୍ଥ ସଚିବ

Published By : Prameya-News7 Bureau | February 14, 2020 IST

ଭୁବନେଶ୍ବର ୧୪/୨:ପୁଣି ଥରେ କେନ୍ଦ୍ର ସ୍ତରରେ ଓଡ଼ିଆଙ୍କ ଗୁରୁତ୍ବ ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥ ସଚିବ ପଦରେ ଜଣେ ଓଡ଼ିଆ ପୁଅଙ୍କୁ ନିଯୁକ୍ତି ମିଳିଛି। ବରିଷ୍ଠ ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିବା କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ୧୯୮୭ ବ୍ୟାଚ୍ ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ପଣ୍ଡା ଜଣେ ଦକ୍ଷ ଏବଂ ବିଚକ୍ଷଣ ଅଧିକାରୀ ବେଶ୍ ସୁପରିଚିତ। ଏବେ ସେ ଆର୍ଥିକ ସେବା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ତୁଲାଉଛନ୍ତି।

ଆର୍ଥିକ ସେବା ବିଭାଗର ସଚିବ ପଦ ପାଇଁ ତାଙ୍କ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ମଞ୍ଜୁରୀ ଦେଇଛି। ରାଜୀବ କୁମାରଙ୍କ ସ୍ଥାନରେ ସେ ଦାୟିତ୍ବ ଗ୍ରହଣ କରିବେ। ସୂଚନାଯୋଗ୍ୟ ଯେ,ଚଳିତ ମାସ ଶେଷରେ ଅର୍ଥ ସଚିବ ରାଜୀବ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ପଣ୍ଡା ଦାୟିତ୍ବ ତୁଲାଇବେ।

ପୂର୍ବରୁ ଦେଶର ପ୍ରମୁଖ ପଦବୀଗୁଡ଼ିକରେ ଓଡ଼ିଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ପି.କେ ମିଶ୍ର,ଆରବିଆଇ ଗଭର୍ଣ୍ଣର ପଦରେ ଶକ୍ତିକାନ୍ତ ଦାସ,ଆରବିଆଇର ଡେପୁଟି ଗଭର୍ଣ୍ଣର ପଦରେ ବିଭୁ ପ୍ରସାଦ କାନୁନଗୋ ଏବଂ ମାଇକେଲ୍ ଦେବବ୍ରତ ପାତ୍ର ପୂର୍ବରୁ ରାଜ୍ୟକୁ ଗର୍ବିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.