ଜାତୀୟ କ୍ରିକେଟ୍ ଦଳର ଚୟନକର୍ତ୍ତା ହେବା ପରେ କ'ଣ କହିଲେ ଓଡିଆ ପୁଅ ଦେବାଶିଷ ମହାନ୍ତି, ଜାଣନ୍ତୁ…

Published By : Prameya-News7 Bureau | December 25, 2020 IST

ଭୁବନେଶ୍ଵର ୨୫।୧୨: ବିସିସିଆଇ ଗୁରୁବାର ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ଚୟନକର୍ତ୍ତା ଘୋଷଣା କରିଛି। କ୍ରିକେଟ୍ ପରାମର୍ଶଦାତା କମିଟିର ସାକ୍ଷାତକାର ପରେ ଦଳର ମୁଖ୍ୟ ଚୟନକର୍ତ୍ତା ହୋଇଛନ୍ତି ପୂର୍ବତନ କ୍ରିକେଟ୍‌ର ଚେତନ ଶର୍ମା।  ଏଥି ସହ ପୂର୍ବତନ ଦ୍ରୁତ ବୋଲର ଓଡିଆ ପୁଅ ଦେବାଶିଷ ମହାନ୍ତି ଓ ଅଭୟ କୁରୁଭିଲା ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବାଞ୍ଚଳରୁ ଦେବାଶିଷ ମୋହାନ୍ତି ଶିବସୁନ୍ଦର ଦାସ ଓ ପଶ୍ଚିମବଙ୍ଗର ଅନ୍ୟ ଜଣେ ପୂର୍ବତନ ଖେଳାଳିଙ୍କୁ ପଛରେ ପକାଇ ଚୟନ କମିଟିର ସଦସ୍ୟ ହୋଇଛନ୍ତି। ଏହା ପରେ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ।

ସିନିୟର ଦଳର ଚୟନ କମିଟିର ସଦସ୍ୟ ହେବା ପରେ ଦେବାଶିଷ ମହାନ୍ତି କହିଛନ୍ତି ଖେଳାଳିଙ୍କ ଲକ୍ଷ୍ୟ ଓ ଦକ୍ଷତା ଉପରେ ନଜର ଦେବାକୁ ପଡ଼ିବ। କୌଣସି ତ୍ରୁଟି ଥିଲେ ସୁଧାରି ଦେବାକୁ ଖେଳାଳିଙ୍କୁ ଟିପ୍ସ ଦେବୁ। ଖେଳାଳି ଚୟନ ଉପରେ ନିଶ୍ଚିତ ସାଧୁତା ରହିବ। ପ୍ରଦର୍ଶନ ଉପରେ ଗୁରୁତ୍ଵ ଦିଆଯିବ। ଓଡିଶାରୁ ଭଲ ପ୍ରତିଭା ନଜରକୁ ଆସିଲେ ନିଶ୍ଚିତ ସୁପାରିସ କରିବି ବୋଲି କହିଛନ୍ତି ଦେବାଶିଷ ମହାନ୍ତି।

{"id":382672,"sizeSlug":"large","linkDestination":"none"}

ସେ କହିଛନ୍ତି ଯେ ପ୍ରତିଭା ଥିଲେ ଉପେକ୍ଷା କରିବାର ପ୍ରଶ୍ନ ଉଠୁ ନାହିଁ। ଟିମ୍ ସଂଖ୍ୟା ବଢିଲେ ଅଧିକ ପ୍ରତିଭାବାନ ଖେଳାଳି ବାହାରିବେ। ଭଲ ଟିମ୍ ଓ ଭଲ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବି। ଲୋକଙ୍କ ପ୍ରକୃତି କିଛି କହିବେ, ସମାଲୋଚନା କରିବେ। ଏଭଳି ମନ୍ତବ୍ୟରେ ବିବ୍ରତ ନହୋଇ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

{"id":382673,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ, ଗତକାଲି କ୍ରିକେଟ୍ ପରାମର୍ଶଦାତା କମିଟି ଚେତନ ଶର୍ମା, ଦେବାଶିଷ ମହାନ୍ତି ଓ ଅଭୟ କୁରୁଭିଲା ନାମଙ୍କୁ ଭାରତୀୟ ଦଳର ଚୟନକର୍ତ୍ତା ପାଇଁ ବିସିସିଆଇକୁ ସୁପାରିସ କରିଥିଲା। ଯାହା ଉପରେ ବିସିସିଆଇ ମୋହର ମାରିଥିଲା। ପାଞ୍ଚ ଜଣିଆ ଚୟନ କମିଟିରେ ଏହି ତିନି ନୂତନ ସଦସ୍ୟ ସହିତ ସୁନିଲ ଯୋଶୀ ଓ ହରବିନ୍ଦର ସିଂହ ଅଛନ୍ତି।

ଦେବାଶିଷ ମହାନ୍ତି ପୂର୍ବେ ଓଡିଶା କ୍ରିକେଟ୍‌ ଦଳର କୋଚ୍ ରହିଥିଲେ। ଦେବାଶିଷ ଭାରତ ପକ୍ଷରୁ ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ୬୧ଟି ଓ୍ଵିକେଟ୍ ନେଇଛନ୍ତି। ୧୧୭ ପ୍ରଥମ ଶ୍ରେଣୀ କ୍ରିକେଟ୍ ଏବଂ ୧୨୯ ଲିଷ୍ଟ ଏ କ୍ରିକେଟ୍ ମ୍ୟାଚ୍ ଖେଳିବାର ଅନୁଭୂତି ତାଙ୍କର ରହିଛି। ଏଥି ସହ ୧୯୯୯ ବିଶ୍ଵ କପ୍‌ ଦଳର ସଦସ୍ୟ ଥିଲେ। ଏବେ ବିସିସିଆଇ ପକ୍ଷରୁ ତାଙ୍କୁ ଚୟନକର୍ତ୍ତା ଭାବେ ନୂତନ ଦାୟିତ୍ଵ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.