କେରଳରେ ବର୍ଷା ଓ ବନ୍ୟାର ବିଭୀଷିକା ; ୩୭୦କୁ ଛୁଇଁଛି ମୃତ୍ୟୁ ସଂଖ୍ୟା
20/08/2018 at 4:51 AM

କେରଳ ୨୦/୮ : କେରଳରେ ବର୍ଷା ଓ ବନ୍ୟାର ବିଭୀଷିକା। ଗତକାଲି ଆଉ ୨୩ ଜଣଙ୍କର ମୃତ୍ୟୁ ପରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ଏବେ ୩୭୦କୁ ଛୁଇଁଛି। ୧୦ ଦିନ ହେବ ଲଗାଣ ବର୍ଷା ଓ ବନ୍ୟାରେ ଘାଣ୍ଟି ହେବାପରେ ଆଗାମୀ ୫ ଦିନ ପାଇଁ ବର୍ଷା ହେବାର ନାହିଁ ବୋଲି କହିଛି ପାଣିପାଗ ବିଭାଗ। ଲଗାଣ ବର୍ଷା ନେଇ ୧୨ଟି ଜିଲ୍ଲାକୁ ଜାରି କରାଯାଇଥିବା ରେଡ ଆଲର୍ଟକୁ ପାଣିପାଗ ବିଭାଗ ଉଠାଇନେଇଛି। ଆଇଏମଡିର ଏହି ସୂଚନା ବନ୍ୟା ବିପନ୍ନଙ୍କୁ ସମାନ୍ୟ ଆଶ୍ବସ୍ତ କରିଛି। ବର୍ଷା କମିବାରୁ ଏବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ ଯୋଗାଣ କାର୍ଯ୍ୟକୁ ଜୋରାଦାର କରାଯାଇଛି। ପାଣି ଘେରରେ ରହିଥିବା ଶେଷ ଲୋକ ପର୍ଯ୍ୟନ୍ତ ପହଞ୍ଚି ତାକୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନ୍। ବନ୍ୟା ବିପଦ ଟଳିବାପରେ ଏବେ ରାଜ୍ୟବାସୀଙ୍କୁ ସଂକ୍ରମଣର ଭୟ ଘାରିଛି।୫ହଜାରରୁ ଉର୍ଦ୍ଧ୍ବ ରିଲିଫ ଶିବିରରେ ଆଶ୍ରୟ ନେଇଥିବା ୭ଲକ୍ଷରୁ ଉର୍ଦ୍ଧ୍ବ ବନ୍ୟା ବିପନ୍ନ ଲୋକଙ୍କୁ ବିଭିନ୍ନ ସଂକ୍ରମଣ ଜନିତ ରୋଗର ଆଶଙ୍କା ଦେଖାଦେଇଛି। ସଂକ୍ରମଣକୁ ରୋକିବା ଏବେ ରାଜ୍ୟସରକାରଙ୍କ ପାଇଁ ବଡ ଆହ୍ବାନ ପାଲଟିଛି। ଏଥିପାଇଁ ରାଜ୍ୟପ୍ରଶାସନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବତନ୍ତ୍ର ଦଳ ଗଠନ କରି ସ୍ବାସ୍ଥ୍ୟସେବାକୁ ନିଶ୍ଚିତ କରିବାକୁ ପଦକ୍ଷେପ ନେଇଛନ୍ତି। ସେପଟେ ବର୍ଷାରେ କେରଳର ପ୍ରାୟ ୧୦ ହଜାରରୁ କିଲୋମିଟରରୁ ଉର୍ଦ୍ଧ୍ବ ରୋଡ ଧୋଇଯାଇଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି।ସଡକ ମରାମତି ସହିତ ସହିତ ଲୋକଙ୍କ ଥଇଥାନ ପାଇଁ ରାଜ୍ୟସରକାର ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ଏନଏଚଏଆଇ ଓ ପିଡବ୍ଲୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଧୋଇଯାଇଥିବା ସଡକ ପଥର ମରାମତି ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେପେଟେ ବନ୍ୟା ଜଳ କମିବାପରେ ବିଦ୍ୟୁତ ସରବରାହକୁ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବିଜୁଳି ସଂଯୋଗ ପୂର୍ବରୁ ପରିତ୍ୟକ୍ତ ଘରଗୁଡିକରେ ବିଜୁଳି ବ୍ୟବସ୍ଥାକୁ ଯାଞ୍ଚ କରି ତଦଜନିତ ଅଘଟଣକୁ ଏଡାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟାପ୍ରଭାବିତ ଅଞ୍ଚଳରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ରାଜ୍ୟସରକାର ଯୋଗାଇଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ