ଇଣ୍ଡୋନେସିଆ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୬୦୨କୁ ବୃଦ୍ଧି
17/12/2022 at 7:35 PM

ଜକାର୍ତ୍ତା: ଗତ ନଭେମ୍ବର ମାସରେ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ହୋଇଥିବା ଭୂମିକମ୍ପରେ ମୋଟ ମୃତ୍ୟୁ ସଂଖ୍ୟା ୬୦୨କୁ ଅତିକ୍ରମ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶୁକ୍ରାବାର ଏହି ସୂଚନା ଦିଆଯାଇଛି। ପୂରା ସହରରେ ବିଭାଗୀୟ ଅଧିକାରୀମାନେ ମୃତ୍ୟୁ ସଂଖ୍ୟା ନେଇ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରକାଶ କରିଛି ପ୍ରଶାସନ।
ନଭେମ୍ବର ୨୧ ତାରିଖରେ ଜାଭା ଦ୍ୱୀପର ଜନବହୁଳ ଅଞ୍ଚଳ ସିଆନଞ୍ଜୁର ୫.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏଥିରେ ଭୂସ୍ଖଳନ ଘଟି ଘରଦ୍ୱାରା ଭୂଶୁଡ଼ି ପଡ଼ିଥିଲା। ଏଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲେ ବି ସେତେବେଳେ ସମ୍ପୂର୍ଣ୍ଣ ମୃତ୍ୟୁ ସଂଖ୍ୟା ଆକଳନ କରାଯାଇପାରି ନଥିଲା। ଏବେ ମୃତ୍ୟୁ ସଂଖ୍ୟା ନେଇ ସିଆନଞ୍ଜୁରକ ପ୍ରଶାସନ ପ୍ରବକ୍ତା ଆଡାମ କହିଛନ୍ତି ଯେ ଘର ଘର ବୁଲି ତଥ୍ୟ ସଂଗ୍ରହ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୩୩୪ରୁ ୬୦୨କୁ ବୃଦ୍ଧି ପାଇଛି।
ଏହି ଘଟଣା ମୃତଙ୍କ ପରିବାର ସରକାରଙ୍କୁ ସୂଚନା ନ ଦେଇ ସେମାନଙ୍କର ମୃତ ପ୍ରିୟଜନର ସଂସ୍କାର କରିଦେଇଥିଲେ। ଫଳରେ ସଙ୍ଗେ ସଙ୍ଗେ ସଠିକ୍ ତଥ୍ୟ ସାମ୍ନାକୁ ଆସିପାରି ନଥିଲା ବୋଲି ଆଡାମ କହିଛନ୍ତି।
ତେବେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ପ୍ରବକ୍ତା ଅବଦୁଲ ମୁହାରୀଙ୍କ କହିବା କଥା ହେଲା ସେ ଏବେ ବି ୩୩୫ ମୃତ୍ୟୁ ହୋଇଛି ବୋଲି ବିଶ୍ୱାସ କରୁଛନ୍ତି। ସେମାନଙ୍କ ସଂସ୍ଥା ନୂଆ ମୃତ୍ୟୁ ସଂଖ୍ୟାର ଯାଞ୍ଚ କରୁଛି।