ଡେର୍ନା ସହର ଏବେ ମୃତ୍ୟୁର ଘାଟି; ଧ୍ବଂସାବଶେଷ ତଳୁ ବାହାରୁଛି କୁଢ କୁଢ ଶବ
18/09/2023 at 10:12 AM

ତ୍ରିପୋଲି,୧୭/୯: ଡାନିଏଲ ଟର୍ଣ୍ଣାଡୋରେ ଛାରଖାର ହୋଇଛି ଉତ୍ତରଅଫ୍ରିକା ଦେଶ । ଲିବ୍ୟାରେ ଡ୍ୟାମ ଭାଙ୍ଗିବା ପରେ ବନ୍ଦର ସହର ଡେର୍ନା ମୃତ୍ୟୁର ଘାଟି ପାଲଟିଛି । ଯେଉଁଠି ଦେଖିବେ ଖାଲି ଗଦା ଗଦା ଶବ । ମାଟି ତଳ ହେଉ ଅବା ଘର ଧ୍ବଂସାବଶେଷ ତଳୁ ସଢ଼ା ମୃତଦେହ ବାହାରୁଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଶବ ବାହାର କରୁଛନ୍ତି ଉଦ୍ଧାରକାରୀ ଦଳ ।
ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁମାନେ ବଞ୍ଚିଯାଇଛନ୍ତି, ପଚାସଢ଼ା ଶବ ମଧ୍ୟରେ ସେମାନଙ୍କ ଜୀବନ ଦୁର୍ବିଷହ ପାଲଟିଯାଇଛି । କେଉଁ ମୁହୂର୍ତ୍ତରେ ଘାତକ ରୋଗବ୍ୟାଧି ସେମାନଙ୍କୁ ଆକ୍ରାନ୍ତ କରିବ, ତାହା କହିହେଉ ନାହିଁ । କିଛି ଗଣମାଧ୍ୟମ ସଂସ୍ଥା ଏହି ଘଟଣାକୁ କୌଣସି ପରମାଣୁ ବୋମା ହମ୍ଲାଠାରୁ କମ୍ ଭାବୁନାହାନ୍ତି । ପାଖାପାଖି ୯୦ ହଜାର ଜନସଂଖ୍ୟା ବିଶିଷ୍ଟ ଡେର୍ନା ସହର ପ୍ରାୟ ମୂଳପୋଛ ହୋଇଯାଇଛି । ଭୟଙ୍କର ବନ୍ୟାରେ ଏ ପର୍ଯ୍ୟନ୍ତ ୪୦ ହଜାର ଲୋକ ପ୍ରାଣ ହରାଇଥିବା ଆକଳନ କରାଯାଇଛି ।
ଡେର୍ନା ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଚାରିଆଡ଼େ ଭଗ୍ନସ୍ତୂପ । ଘରେ ଓ ବାହାରେ ମେଞ୍ଚା ମେଞ୍ଚା କାଦୁଅ । କାର୍ ଉପରେ କାର୍ ଲଦାଲଦି । କାଦୁଅରେ ଗୋଡ଼ ତଳକୁ ପଶିଗଲେ ବାହାରୁଛି ଶବ । ପାଣି ପାଇଁ ହାହାକାର ସ୍ଥିତି । ଦୋକାନ ବଜାର ସବୁ ବରବାଦ । କେବଳ ସହାୟତା ଅପେକ୍ଷାରେ ରହିଛନ୍ତି ବାସହରା ଡେର୍ନାବାସୀ ।
ଡେର୍ନା ସହରରେ ଯୁଗୋସ୍ଲାଭିଆର ଏକ କମ୍ପାନି ୧୯୭୦ରେ ଦୁଇଟି ଡ୍ୟାମ୍ ନିର୍ମାଣ କରିଥିଲା । ପ୍ରଥମ ଡ୍ୟାମ୍ର ଉଚ୍ଚତା ୭୫ ମିଟର ଥିଲା ଏବଂ ସେଥିକୁ ୧.୮୦ କୋଟି କ୍ୟୁବିକ୍ ମିଟର ପାଣି ଆସୁଥିଲା । ୪୫ ମିଟର ଉଚ୍ଚତାର ଅନ୍ୟ ବନ୍ଧରେ ୧୫ ଲକ୍ଷ କ୍ୟୁବିକ୍ ମିଟର ପାଣି ଜମିଥିଲା । ଗୋଟିଏ କ୍ୟୁବିକ୍ ମିଟର ପାଣିର ଓଜନ ଏକ ଟନ୍ ହିସାବରେ ଦୁଇ ଡ୍ୟାମ୍ରେ ପ୍ରାୟ ୨ କୋଟି ଟନ୍ ପାଣି ଭରିରହିଥିଲା । ଏହାର ଠିକ୍ ତଳେ ଡେର୍ନା ସହର ଗଢ଼ିଉଠିଥିଲା ।
୨୦ ବର୍ଷ ହେଲା ଏହାର ରକ୍ଷଣାବେକ୍ଷଣ ହୋଇ ନ ଥିଲା । ନିକଟରେ ଝଡ଼ ‘ଡାନିଏଲ୍’ ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ବନ୍ଧଦ୍ୱୟରେ ପ୍ରବଳ ମାତ୍ରାରେ ପାଣି ପଶିଥିଲା । ବନ୍ଧରେ ବଡ଼ ବଡ଼ କଣା ଥିଲେ ବି ତାହା କୁଟାକାଠିରେ ବନ୍ଦ ହୋଇଯିବାରୁ ବନ୍ଧ ଉପରେ ପ୍ରବଳ ଚାପ ପଡ଼ିଥିଲା । ପୁରୁଣା ଓ ଦୁର୍ବଳ ପାଲଟିଥିବା ବନ୍ଧ ତାହାକୁ ସମ୍ଭାଳି ନ ପାରି ଭାଙ୍ଗିଯାଇଥିଲା । ଏହାପରେ ଡେର୍ନା ସହର ଆଡ଼କୁ କ୍ଷିପ୍ର ବେଗରେ ବନ୍ୟାଜଳ ମାଡ଼ିଯାଇ ଛାର୍ଖାର୍ କରିଦେଇଥିଲା ।