ମହିଳା ଏଏସଆଇ ଏଲିସଙ୍କ ମୃତ୍ୟୁ ଘଟଣା, ୨ ଜଣ ଗିରଫ, ପରିବାର ଲୋକ ଉଠାଇଲେ ପ୍ରଶ୍ନ
2/10/2023 at 9:34 PM

ରାଉରକେଲା: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ମହିଳା ଏଏସଆଇଙ୍କ ମୃତ୍ୟୁ ମନରେ ଅନେକ କୌତୁହଳ ସୃଷ୍ଟି କରିଛି। କାରଣ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ ବିଡିଓ, ଜଣେ ସିଡିପିଓଙ୍କ ସହ ପୋଲିସ ଏଏସଆଇ ଏନ୍ ଲୁଗୁନଙ୍କ ନାଁ ରହିଛି। ଏହି ସ୍ପର୍ଶକାତର ଘଟଣାରେ ଉଦିତନଗର ପୋଲିସ ୨ ଜଣଙ୍କୁ ଗିରଫ କରିଛି।
Also read- ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, HRPCକୁ ତଦନ୍ତ ଦାୟିତ୍ୱ
ମୃତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ହୋଟେଲରେ ରହୁଥିବା ସମୟରେ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ASI ଏଲିସ୍ ନାର୍ମୀ ଲୁଗୁନ । ଗତ ୧୯ ତାରିଖର ମୃତ୍ୟୁ ଘଟିଥିଲା ସୁସ୍ମିତା ମିଞ୍ଜଙ୍କ । ଏହାପରେ ୨୦ ତାରିଖରେ ସସ୍ମିତାଙ୍କ ପରିବାର ଲୋକେ ଆଣିଥିଲେ ହତ୍ୟା ଅଭିଯୋଗ ।ଆଉ ଗତକାଲି ଲୁଗୁନଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ସମୟକୁ ନେଇ ପ୍ରଶ୍ନ ଉଠିଛି। ପରିବାର ଲୋକ ମଧ୍ୟ ଝିଅର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ରାଉରକେଲା ଉଦିତ ନଗର ଥାନାରେ କାର୍ଯ୍ୟରତ ଥିଲ ମହିଳା ଏଏସଆଇ ଏନ୍ ଲୁଗୁନ । ଗଣ୍ଡଗୋଳ ରୋକିବାକୁ ଯାଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଗତକାଲି ଅପରାହ୍ନ ସମୟରେ ରାଜା ଗୋଲ୍ଡ ନାମକ ଯାତ୍ରୀବାହୀ ବସ ରାଜଗାଙ୍ଗପୁରରୁ ରାଉରକେଲା ଯାଉଥିଲା। ତେବେ ଉଦିତ ନଗର ଅଗ୍ରସେନ୍ ଭବନ ଛକରେ ଅଗ୍ରେଶନ ଭବନ ଆଡ଼ୁ ଏକ କାର ଆସିବା ଫଳରେ ଯାତ୍ରୀବାହୀ ବସ ସହ ଘଷି ହୋଇଯାଇଥିଲା । ବସ ଡ୍ରାଇଭର ବସ ଅଟକାଇ କାର ମାଲିକଙ୍କ ସହ ବୁଝାମଣା କରିଥିଲେ। ଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇ କାର ମରାମତି କରିଦେବାକୁ ଚୁକ୍ତି ହେବା ପରେ ଯାତ୍ରୀବାହୀ ବାସ ବସ ଷ୍ଟାଣ୍ଡକୁ ଯାଉଥିଲା। ଏହି ସମୟରେ କାର ମାଲିକ ଫୋନ କରି ବିର୍ଯା ପାଲିରୁ କିଛି ମହିଳା ପୁରୁଷଙ୍କୁ ଡକାଇ ବସ ଡ୍ରାଇଭରଙ୍କ ସହ ମ୍ୟୁନିସିପାଲଟି ଛକରେ ଗଣ୍ଡଗୋଳ କରିଥିଲେ।
ଖବର ପାଇ ଉଦିତ ନଗର ମହିଳା ଏଏସଆଇ ଏନ୍ ଲୁଗୁନ ପହଞ୍ଚି ବୁଝାସୁଝା କରିଥିଲେ ହେଁ ମାନି ନଥିଲେ ଉତ୍ୟକ୍ତ ଲୋକେ। ହଠାତ ତଳେ ପଡି ଯାଇଥିଲେ ମହିଳା ଏଏସଆଇ। ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗଣ୍ଡଗୋଳ କରିଥିବା ମହିଳା ପୁରୁଷଙ୍କୁ ଉଦିତ ନଗର ପୋଲିସ ଅଟକ ରଖିଥିବା ବେଳେ କାର ଏବଂ ବସକୁ ଜବତ କରିଛି । ଅନ୍ୟପଟେ ପରିବାର ଲୋକେ ଝିଅର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି।