ବିଷ ପିଇ ଇଟାଭାଟିରେ କାମ କରୁଥିବା ନାବାଳିକାଙ୍କ ମୃତ୍ୟୁ ! ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ, ଭାଙ୍ଗିଲା ଶ୍ରମ ବିଭାଗର ନିଦ, ୨ ଗିରଫ

Published By : Prameya-News7 Bureau | December 01, 2020 IST

ନୀଳଗିରି,୧/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଜଡ଼ିବାଲି ଅଞ୍ଚଳରେ ଇଟାଭାଟିରେ ଜଣେ କାର୍ଯ୍ୟରତ ନାବାଳିକା ଶ୍ରମିକ ଗତକାଲି ବିଷ ପିଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଶ୍ରମବିଭାଗର ନିଦ ଭାଙ୍ଗିଛି। ମୃତ୍ୟୁ ପୂର୍ବରୁ ମୃତକଙ୍କ ମାଙ୍କ ବୟାନରେ ଝିଅ ପ୍ରେମ ବ୍ୟାପାର ପାଇଁ ବିଷ ପିଇଥିବା କଥା ସ୍ଵୀକାର କରିଥିବା ବେଳେ ମୃତକଙ୍କ କକା ଝିଆରୀଙ୍କୁ କେହି ଧର୍ଷଣ ଓ ବିଷ ପିଆଇ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ମାମଲା ରୁଜୁକରି ଦୁଇ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି।

ସୂଚନାରୁ ପ୍ରକାଶ କି ବାଘମରା ଗ୍ରାମର ମଧୁ ସିଂଙ୍କ ସ୍ତ୍ରୀ ଓ ତାଙ୍କ ନାବାଳିକା ଝିଅ ଇନ୍ଦ୍ରାଣୀ ନୀଳଗିରି ତହସିଲ ଅଧିନ ଭଉଁରିଆବାଡ଼ ପଞ୍ଚାୟତ ଜଡ଼ିବାଲି ଅଂଚଳରେ ଥିବା ଜୟଦୁର୍ଗା ଇଟାଭାଟିରେ କାମ କରିଆସୁଥିଲେ। ଭାଟି ଭିତରେ ଏକ କୁଡ଼ିଆ ଘର ବନାଇ ରହୁଥିଲେ। ଗତକାଲି ନାବାଳିକା  ଇନ୍ଦ୍ରାଣୀ ବିଷ ପିଇଦେବା ପରେ ଗୁରୁତର ହୋଇପଡିଥିଲେ। ମାକୁ ସେ ଜଣେ ଯୁବକଙ୍କ ପାଇଁ ବିଷ ପିଇଦେଇଥିବା କଥା କହିବାପରେ ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ମୃତକଙ୍କ କକା କାର୍ତିକ ସିଂ ଇଟାଭାଟି ମାଲିକ। ଭାଟିର ଅନ୍ୟ ସହଯୋଗୀ ମାନେ ତାଙ୍କ ଝିଆରୀଙ୍କୁ ବଳାତ୍କାର କରି ବିଷ ପିଆଇ ମାରିଦେଇଥିବା ସେ ଅଭିଯୋଗ କରିଥିଲେ। ମୃତକଙ୍କ ମାଆ ଗୋଟିଏ କଥା ଓ ତାଙ୍କ କକାଙ୍କ ଆଉ ଗୋଟିଏ କଥା ନେଇ ପୋଲିସକୁ ବହୁ ନାକେଦମ ହେବାକୁ ପଡିଥିଲା। ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର,ଆଇଆଇସି ପ୍ରଭଞ୍ଜନ ମଲ୍ଲିକ, ଏସଆଇ ବାସୁଦେବ ଜୟସିଂ ଓ ପୋଲିସ କର୍ମଚାରୀ ରାତିସାରା ଇଟାଭାଟି ,ବାଲେଶ୍ଵର ହସ୍ପିଟାଲରେ ତଦନ୍ତ ପ୍ରକ୍ରିୟା ଚଳାଇବା ଥିବାବେଳେ ଆଜି ସକାଳେ ମଧ୍ୟ ଫରେନସିକ ଟିମକୁ ନେଇ ମଧ୍ୟ ତଦନ୍ତ କରିଥିଲେ।

ନାବାଳିକା ଓ ପରିବାର ରହୁଥିବା ଅସ୍ଥାୟୀ କୁଡ଼ିଆ, ନଦୀକୁ ଯାଇ ଯାଂଚ ମଧ୍ୟ କରାଯାଇଥିଲା। ପାଖରେ ରହୁଥିବା ଶ୍ରମିକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ଘଟଣାର ଅଭିଯୋଗକୁ ନେଇ ଧାରା ୩୨୮, ୩୦୨, ୩୭୬(ଡିଏ), ଆଇପିସି ୬ ପୋକ୍ସୋ ଆକ୍ଟ ୩୯୫ ନମ୍ବର ମାମଲା ମଧ୍ୟ ରୁଜୁ କରିବା ସହ ଅଭିଯୁକ୍ତ ଇଟାଭାଟି ମାଲିକ ଲୁଲୁ ବେହେରା ଓ କୁଡୁମିପାଳ ଅଂଚଳର ଫକିରା ସିଂ ଓରଫ ଚଗୁଲୁକୁ ଅଟକ ରଖାଯାଇଛି। ଘଟଣାର ତଦନ୍ତଭାର ନୀଳଗିରି ଥାନା ଅଧିକାରୀ ବେହେରା ନେଇଛନ୍ତି।

ସେହିପରି ନାବାଳିକା ଜଣକ ଇଟାଭାଟିରେ କାର୍ଯ୍ୟକରିବା ଓ  ମୃତ୍ୟୁବରଣ ପରେ ହଠାତ ଚେଇଁ ଉଠିଛି ଶ୍ରମ ବିଭାଗ। ନୀଳଗିରି ଶ୍ରମବିଭାଗ ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଇଟାଭାଟିକୁ ଯାଇ ତଦନ୍ତ କରି ଫେରିଛନ୍ତି। ଖାଲି ଏହି ଭାଟି ନୁହଁ ନୀଳଗିରିରେ ବହୁ ବେଆଇନ ଇଟାଭାଟି ଏଭଳି ଶିଶୁ ଶ୍ରମିକ କାମ କରିଥିବା ବେଳେ ଶ୍ରମ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଥିବା ବେଳେ ପୋଷ୍ଟମାଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.