ମହାଭାରତରେ ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀଙ୍କ ମୃତ୍ୟୁ କେମିତି ହୋଇଥିଲା ଜାଣନ୍ତୁ
9/06/2019 at 3:21 PM

ଭୁବନେଶ୍ୱର ୯/୬ : ମହାଭାରତ ଯୁଦ୍ଧରେ କୌରବ ହାରିଯିବା ପରେ ଯୁଧିଷ୍ଠିର ରାଜା ହୋଇଥିଲେ । ଏହାପରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ପାଣ୍ଡବଙ୍କ ସହ ରହୁଥିଲେ । ମା କୁନ୍ତୀ ଉଭୟଙ୍କ ଯତ୍ନ ନେଉଥିଲେ । କିନ୍ତୁ ଏଥିରେ ସନ୍ତୁଷ୍ଟ ନଥିଲେ ଭୀମ । ସେ ଧୃତରାଷ୍ଟ୍ରଙ୍କୁ ଆକ୍ଷେପ କରି କହୁଥିଲେ । ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ଏସବୁ ଚାଲିଲା । ଦିନେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ ବାନପ୍ରସ୍ଥ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଲେ । ଦୁହେଁ ବନରେ ତପସ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ଏବଂ ମହଲରୁ ବାହାରିଗଲେ । ମା କୁନ୍ତୀ ମଧ୍ୟ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ସହ ଯିବା ପାଇଁ ନିଷ୍ପତ୍ତି ନେଲେ । ଧୃତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କୁ ଏକା ଛାଡିବା ଉଚିତ ହେବନାହିଁ ବୋଲି ଭାବିଲେ କୁନ୍ତୀ ଏବଂ ସେମାନଙ୍କ ସହ ସେ ମଧ୍ୟ ବାହାରିଗଲେ ।
ବନକୁ ଯିବାର ପାଖାପାଖି ୩ ବର୍ଷ ପରେ ଦେବର୍ଷି ନାରଦ ଯୁଦ୍ଧିଷ୍ଠିରଙ୍କ ନିକଟରେ ପହଁଚିଲେ । ଯୁଧିଷ୍ଠିର ନାରଦ ମୁନିଙ୍କୁ ଉଚିତ ଆଦର ସମ୍ମାନ ଦେଇ ତାଙ୍କର ଅତିଥି ସତ୍କାର କରିଥିଲେ । ନାରଦ ମୁନିଙ୍କ ପାଖରେ ୩ଟି ଲୋକର ସମସ୍ତ ଖବର ଥାଏ ଏକଥା ଯୁଦ୍ଧିଷ୍ଠିର ଜାଣିଥିଲେ । ସେଥିପାଇଁ ସେ ନାରଦ ମୁନିଙ୍କୁ ଧୃତରାଷ୍ଟ୍ର, ଗାନ୍ଧାରୀ ଓ ମା କୁନ୍ତୀ ସମ୍ପର୍କରେ ପଚାରିଥିଲେ । ସେ ପଚାରିଥିଲେ ଏମାନେ କେଉଁଠି ଅଛନ୍ତି ଏବଂ କେମିତି ଅଛନ୍ତି ।
ନାରଦ ମୁନି ଯୁଦ୍ଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ କହିଲେ ଏମାନେ ୩ଜଣ ହରିଦ୍ୱାରରେ ରହି ତପସ୍ୟା କରୁଥିଲେ । ଦିନେ ଏମାନେ ଗଙ୍ଗା ସ୍ନାନ ସାରି ଆଶ୍ରମ ଆସୁଥିବାବେଳେ ବନରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଦୁର୍ବଳତା କାରଣରୁ ଧୃତରାଷ୍ଟ୍ର, ଗାନ୍ଧାରୀ ଓ ମା କୁନ୍ତୀ ନିଆଁରୁ ରକ୍ଷା ପାଇବା ପାଇଁ କୁଆଡେ ଯାଇପାରିନଥିଲେ । ସେଥିପାଇଁ ସେମାନେ ସେହି ନିଆଁରେ ନିଜ ପ୍ରାଣ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ସେହିଠାରେ ହିଁ ଏକାଗ୍ର ହୋଇ ବସିରହିଲେ । ବନ ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଲା ଏବଂ ଏମାନେ ସେହି ନିଆଁରେ ପ୍ରାଣ ତ୍ୟାଗ କଲେ । ଏହିଭଳି ଭାବେ ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ ମାତା କୁନ୍ତୀଙ୍କ ମୃତ୍ୟୁ ହୋଇଥିଲା ।
ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ ମାତା କୁନ୍ତୀଙ୍କ ମୃତ୍ୟୁ ଖବର ଶୁଣି ପାଣ୍ଡବଙ୍କ ମହଲରେ ଶୋକର ଛାୟା ଖେଳିଗଲା । ମୃତ୍ୟୁ ଖବର ଶୁଣି ସମସ୍ତେ ଦୁଃଖୀ ହୋଇଗଲେ । ଦେବର୍ଷି ନାରଦ ସମସ୍ତଙ୍କୁ ସାନ୍ତ୍ୱନା ଦେଲେ । ଏହାପରେ ଯୁଦ୍ଧିଷ୍ଠିର ବିଧି ମୁତାବକ ୩ ଜଣଙ୍କର ଶ୍ରାଦ୍ଧ କର୍ମ ସମ୍ପନ୍ନ କରିଥିଲେ ଏବଂ ଦାନ ଦକ୍ଷିଣା ଦେଇ ସେମାନଙ୍କ ଆତ୍ମା ଶାନ୍ତି ପାଇଁ ସଂସ୍କାର କରିଥିଲେ ।