ମହିଳା ପ୍ରିମିୟର ଲିଗ୍; ଗୁଜରାଟ୍ ଜାଏଣ୍ଟ୍‌ସକୁ ହରାଇ ଟେବୁଲ ଟପ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | March 04, 2024 IST

ବେଙ୍ଗାଲୁରୁ,: ମହିଳା ପ୍ରିମିୟର ଲିଗ୍‌ରେ ଟେବୁଲ୍ ଟପରେ ଦିଲ୍ଲୀ କ୍ୟାପିଟାଲ୍ସ । ବେଙ୍ଗାଲୁରୁର ଚୀନସ୍ବାମୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ  ଚମକପ୍ରଦ ବିଜୟ ହାସଲ କରି ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି ଦଳ । ଗତକାଲି ଲିଗ୍‌ ମୁକାବିଲାରେ ଦଳ ୨୫ରନ୍‌ରେ ଗୁଜରାଟ  ଜାଏଣ୍ଟ୍‌ସକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ  ବ୍ୟାଟିଂ କରି କ୍ୟାପିଟାଲ୍ସ ୮ ୱିକେଟ୍‌ ହରାଇ ୧୬୩ରନ୍‌ ସଂଗ୍ରହ କରିଥିଲା । ଜବାବରେ ଗୁଜରାଟ ୮ ୱିକେଟ୍‌ ବିନିମୟରେ ମାତ୍ର ୧୩୮ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଜେସ୍‌ ଜୋନାସେନ ଅଲରାଉଣ୍ଡ୍‌ ପ୍ରଦର୍ଶନ ଦେଖାଇ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । କ୍ୟାପିଟାଲ୍ସ ତୃତୀୟ ବିଜୟ ସହ ମୋଟ୍ ୬ପଏଣ୍ଟ  ପାଇଛି । ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ପଏଣ୍ଟ ପାଇଥିଲେ ହେଁ ରନ୍‌ ରେଟ୍‌ ହାରରେ ଦ୍ୱିତୀୟକୁ ରହିଛି ।

ଗୁଜରାଟ ପ୍ରଥମେ ଟସ୍‌ ଜିତି କ୍ୟାପିଟାଲ୍ସକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ ଜଣାଇଥିଲା । ଓପନିଂ ଯୋଡ଼ି ଶେଫାଳି ବର୍ମା ଓ  ମେଗ୍ ଲାନିଙ୍ଗ ୨୦ ରନ୍‌ ସଂଗ୍ରହ କରିଥିଲେ । ଶେଫାଳି ୧୩ ରନ କରି ପ୍ରଥମେ ଆଉଟ୍‌ ହୋଇଥିଲେ ।  ଏହାପରେ ଆଲିସ୍‌ କ୍ୟାପ୍‌ସୀ କ୍ରିଜ୍‌ରେ ଯୋଗଦେଇ ଦର୍ଶନୀୟ  ସଟ୍‌ମାନ ଖେଳିଥିଲେ । ଦଳୀୟ ସ୍କୋର ୫୮ରେ ବ୍ୟକ୍ତିଗତ ୨୭ ରନ୍‌ କରି ସେ ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ  ବ୍ୟାଟର ଜେମିମା ରୋଡ୍ରିଗ୍ସଙ୍କୁ ସାଥୀ କରି ଲାନିଙ୍ଗ୍‌ ସ୍କୋରକୁ  ୧୦୦ ଅତିକ୍ରମ କରାଇଥିଲେ । ସେ ୩୯ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ହେଲେ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ  କ୍ୟାଚ୍‌ ଟେକି ଦେଇଥିଲେ । ଲାନିଙ୍ଗ୍‌ ୬ଚୌକା ଓ ୧ଛକା ବଳରେ  ୫୫ ରନ୍‌ କରିଥିଲେ । ପରେ ରୋଡ୍ରିଗ୍ସ ୭ରନ୍‌ କରି  ଆଉଟ୍‌ ହୋଇଥିଲେ । ମଧ୍ୟକ୍ରମରେ ଆନାବେଲ୍‌ ସୁଦରଲାଣ୍ଡ  ୨୦, ଜୋନାସନ୍‌ ୧୧, ଶିଖା ପାଣ୍ଡେ ଅପରାଜିତ ୧୪ରନ୍‌ ଯୋଗ  କରିବା ଫଳରେ ସ୍କୋର ୮/୧୬୩ ରନ୍‌ରେ ପହଞ୍ଚିଥିଲା ।

wp:embed {"url":"https://www.prameyanews7.com/wtc-point-table-india-rise-to-the-top-rohit-teams-advantage-in-defeat-of-new-zealand/","type":"wp-embed","providerNameSlug":"prameya-news-7"}
https://www.prameyanews7.com/wtc-point-table-india-rise-to-the-top-rohit-teams-advantage-in-defeat-of-new-zealand/
/wp:embed

ସେପଟେ ୧୬୪ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ  ହୋଇଥିଲା । ମାତ୍ର ୫୩ରନ୍‌ ମଧ୍ୟରେ ଦଳ ୪ଟି  ୱିକେଟ୍‌ ହରାଇ ଥିଲା । ଲାଉରା ଉଲଭାର୍ଟ ଖାତା ଖୋଲି ପାରି  ନଥିବାବେଳେ ଅଧିନାୟିକା ବେଥ୍‌ ମୁନି ୧୨ ରନ, ଫୋଏବ  ଲିଚ୍‌ଫିଲ୍ଡ୍‌ ୧୫ ରନ୍, ବେଦା କ୍ରିଷ୍ଣମୂର୍ତ୍ତୀ ୧୨ ରନ୍ ସହଳ ପାଭିଲିୟନ  ଲେଉଟିଥିଲେ । ମଧ୍ୟକ୍ରମରେ ଆସଲି ଗାର୍ଡନର ଲଢ଼ୁଆ ୪୦ ରନ୍ କରି ନିଜ ଓ୍ବିକେଟ୍ ହରାଇଥିଲେ । ନିୟମିତ ୱିକେଟ୍‌ ପତନ ଯୋଗୁ ଗୁଜରାଟ ଇନିଂସ୍‌ ୮/୧୩୮ରେ ଅଟକି  ଯାଇଥିଲା । ଫଳରେ କ୍ୟାପିଟାଲ୍ସ ସହଜରେ ବିଜୟ ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.