ଇସ୍ଲାମାବାଦ/ଦୁବାଇ, ୧୮/୪: ପାକିସ୍ତାନ ସମେତ ଉପସାଗରୀୟ ଦେଶଗୁଡ଼ିକରେ ବର୍ଷା ବିତ୍ପାତ । ୨ ଦିନ ହେଲା ଲାଗି ରହିଛି ଲଗାଣ ବର୍ଷା । ବିଶେଷ କରି ପାକିସ୍ତାନ, ଓମାନ ଏବଂ ୟୁଏଇରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଫଳରେ ଅଦିନରେ ବନ୍ୟାସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଯୋଗୁ ୬୯ ଜଣଙ୍କ ପ୍ରାଣ ହରାଇଲେଣି । ପାକିସ୍ତାନର ଖାଇବର ପଖତୁନଖ୍ୱା ଏବଂ ବଲୁଚିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । କେବଳ ଏହି ଅଞ୍ଚଳରେ ୫୦ଜଣଙ୍କ ଜୀବନ ଗଲାଣି । ସେହିପରି ୟୁଏଇ ପଡ଼ୋଶୀ ଓମାନରେ ବନ୍ୟା ଯୋଗୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ସ୍କୁଲ ପିଲା ରହିଛନ୍ତି । ଅନେକ ନିଖୋଜ ଅଛନ୍ତି ।
ବନ୍ୟାପାଣିରେ ଗାଡ଼ି ସହ ସ୍କୁଲ ପିଲା ଭାସି ଯାଇଛନ୍ତି । ରୟାଲ ଓମାନ ପୋଲିସ୍ ସ୍କୁଲ ପିଲାଙ୍କୁ ଗାଡ଼ିରୁ ଉଦ୍ଧାର କରିଛି । ଖରାପ ପାଣିପାଗ ଯୋଗୁ ଭାରତ ଓ ଦୁବାଇ ମଧ୍ୟରେ ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ୨୮ଟି ବିମାନର ଉଡ଼ାଣ ବାତିଲ କରାଯାଇଛି । ସେଥିମଧ୍ୟରେ ଭାରତ ଆସିବାକୁ ଥିବା ୧୩ ବିମାନ ଏବଂ ଭାରତରୁ ଦୁବାଇ ଯିବାକୁ ଥିବା ୧୫ ବିମାନ ରହିଛି ।
ସେହିପରି ପାକିସ୍ତାନର ବିଭିନ୍ନ ପ୍ରଦେଶରେ ବର୍ଷା ତାଣ୍ଡବ ଦେଖିବାରୁ ମିଳିଛି । ୟୁଏଇର ଆବୁଧାବି, ଦୁବାଇ ଏବଂ ଅଲ୍ ଏନ୍ ଆଦି ସହରରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ବର୍ଷକର ବର୍ଷା ଗୋଟିଏ ଦିନରେ ହୋଇଛି । ଏଠାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ସୋମବାର ରାତିରେ ୟୁଏଇରେ ବର୍ଷା ଆରମ୍ଭ ହୋଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ୟୁଏଇରେ ୨୫୪ ମିମି ବର୍ଷା ହୋଇଛି, ଯାହା କି ୧୯୪୯ ପରେ ସର୍ବାଧିକ ବର୍ଷା ଭାବେ ରେକର୍ଡ କରାଯାଇଛି । ଦୁବାଇର ଅର୍ନ୍ତଜାତୀୟ ବିମାନବନ୍ଦରଗୁଡ଼ିକ ବିଶେଷ ପ୍ରଭାବିତ ହୋଇଛି । ଜରୁରି ନ ଥିଲେ ବିମାନବନ୍ଦରକୁ ନ ଆସିବା ଲାଗି ଲୋକଙ୍କୁ କୁହାଯାଇଛି ।