ଗାଜାରେ ଇସ୍ରାଏଲ ସେନାର ମିସାଇଲ୍ ଆଟାକ୍; ଆବାସିକସ୍ଥଳୀକୁ ଟାର୍ଗେଟ୍, ୮୩ ମୃତ

Published By : Prameya-News7 Bureau | May 19, 2024 IST

ନୂଆଦିଲ୍ଲୀ ୧୯/୫: ଇସ୍ରାଏଲ୍‌ ସେନା ଗାଜା ଉପରେ ସାଙ୍ଘାତିକ ହମଲା କରିଛି । ଏହି ମସାଇଲ୍ ଆକ୍ରମଣରେ ୮୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆତ୍ମଘାତୀ ହମଲାରେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲୀ ସେନା ଆବାସିକସ୍ଥଳୀଙ୍କୁ ଟାର୍ଗେଟ୍‌ କରି ଯୁଦ୍ଧ ବିମାନରେ ଘନଘନ ମିସାଇଲ ମାଡ଼ କରିଥିଲା । ଏମିତି କି ପାଣି ସଂଗ୍ରହ କରୁଥିବା ଲୋକଙ୍କ ଉପରେ ବି ହମ୍‌ଲା ହୋଇଥିଲା ।

ସୂଚନା ମୁତାବକ, ଶନିବାର ସକାଳେ ଉତ୍ତର ଗାଜାସ୍ଥିତ କମଲ ଅଦ୍ୱାନ ହସ୍ପିଟାଲ ନିକଟବର୍ତ୍ତୀ  ଆବାସିକ ସ୍ଥଳୀ ଉପରେ ପ୍ରଥମ ଆକ୍ରମଣ  ହୋଇଥିଲା । ଏହାଯୋଗୁ ମହିଳା ଓ ପିଲାଙ୍କୁ  ମିଶାଇ ମୋଟ ୧୫ଜଣଙ୍କ ମୃତ୍ୟୁ ଘଟିଥିଲା । ଜଣେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଇସ୍ରାଏଲ୍‌ର  ଆକ୍ରମଣରେ ଏକ ଆବାସିକ କୋଠା ସମ୍ପୂର୍ଣ୍ଣ  ଧୂଳିସାତ୍‌ ହୋଇଯାଇଛି । ଏହା ମଧ୍ୟରେ ଅନେକ  ଲୋକ ଚାପିହୋଇ ରହିଥିଲେ । ଆହୁରି ଅନେକ ପରିବାର ଭଗ୍ନାବଶେଷ ତଳେ ଚାପିହୋଇ  ରହିଛନ୍ତି । ଅଧିକାଂଶ ଲୋକ ସେମାନଙ୍କ  ଘର ଭିତରେ ଥିଲା ବେଳେ ମିସାଇଲ ଆକ୍ରମଣ ହୋଇଥିଲା । ଫଳରେ ସେମାନେ  ବାହାରକୁ ବାହାରିବା ପାଇଁ ସମୟ ପାଇ ନ  ଥିଲେ । ତା’ଛଡ଼ା ପୂର୍ବରୁ ଆକ୍ରମଣ ନେଇ  କୌଣସି ସୂଚନା ବି ନ ଥିଲା । 

ଉତ୍ତର ଗାଜାର ଜବାଲିଆ ଶିବିରର  ପଶ୍ଚିମ ଭାଗରେ ଥିବା ଫଲୁଜା ଅଞ୍ଚଳରେ  ମଧ୍ୟ ଆକ୍ରମଣ ହୋଇଛି । ଲୋକମାନେ ପାନୀୟ  ଜଳ ସଂଗ୍ରହ କରୁଥିବା ବେଳେ ଗୁଳିଗୋଳା ଏବଂ  ବୋମା ଦ୍ୱାରା ହମ୍‌ଲା ହୋଇଥିଲା । ଏଥିରେ  ମହିଳା ଓ ପିଲାଙ୍କୁ ମିଶାଇ ମୋଟ୍ ୮ ଜଣ ପ୍ରାଣ  ହରାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।  ଜବାଲିଆ   କ୍ୟାମ୍ପସ୍ଥିତ ଉଦ୍ଧାର କେନ୍ଦ୍ର ଉପରେ   ହମ୍‌ଲା ହୋଇଥିଲା । ଇସ୍ରାଏଲ  ସେନା ଉକ୍ତ ଅଞ୍ଚଳରୁ ପଳାଇବା  ପରେ ଲୋକମାନେ ଉଦ୍ଧାର କେନ୍ଦ୍ରରୁ  ବାହାରକୁ ବାହାରିଥିଲେ । ଏହି  ସମୟରେ ସେମାନଙ୍କ ଉପରେ ପୁଣି  ଏୟାରଷ୍ଟ୍ରାଇକ୍‌ ହୋଇଥିଲା । ଏଥିରେ ୧୫ ଜଣ  ପ୍ରାଣ ହରାଇଛନ୍ତି । 

ଗତବର୍ଷ ଡିସେମ୍ବରରେ ଜବାଲିଆ କ୍ୟାମ୍ପ୍‌  ଉପରେ ହୋଇଥିବା ହମଲାରେ ଅତିକମ୍‌ରେ ୯୦  ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ  ଫେବ୍ରୁଆରୀ ଆରମ୍ଭରେ ଇସ୍ରାଏଲ ସେନା ଗାଜାର  ଉତ୍ତର ଭାଗରୁ ଚାଲିଯାଇଥିଲେ । କିନ୍ତୁ କିଛିଦିନ  ହେଲା ଏଠାରେ ଆକ୍ରମଣ ପୁଣି ବଢ଼ିଛି । 

ଗତବର୍ଷ  ଅକ୍ଟୋବର ୭ରୁ ଗାଜାରେ ଇସ୍ରାଏଲ-ହମାସ୍‌  ଯୁଦ୍ଧ ଜାରି ରହିଛି । ଏହାଦ୍ୱାରା ଅତିକମ୍‌ରେ  ୩୫, ୩୮୬ ପାଲେଷ୍ଟିନୀୟ ପ୍ରାଣ ହରାଇଥିଲା  ବେଳେ ୭୯, ୩୬୬ ଜଣ ଆହତ ହୋଇଥିବା ଗାଜା  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତ ୨୪  ଘଣ୍ଟାରେ ୮୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୦୫ ଜଣ ଆହତ ହୋଇଥିବା ମନ୍ତ୍ରଣାଳୟ ଏହାର  ରିପୋର୍ଟରେ ଦର୍ଶାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.