କେରଳରୁ ଆସିପାରୁନି ଶନିଆର ମୃତଦେହ, ଅର୍ଥ ସାଜିଛି ବାଧକ

Published By : Prameya-News7 Bureau | October 07, 2018 IST

କନ୍ଧମାଳ;୦୭/୧୦- ପେଟ ଚାଖଣ୍ଡ ପାଇଁ ସୁଦୁର କେରଳକୁ ଦାଦନ ଖଟିବାକୁ ଯାଇଥିଲେ କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଡବାମାହା ଗାଁର ଶନିଆ ବେହେରା। ହେଲେ ଦେହ ଖରାପ ହେବାରୁ କେରଳରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା। ଏବେ ଗାଁକୁ ଆସିପାରୁନି ମୃତଦେହ। ଏଥିପାଇଁ ଅର୍ଥ ସାଜିଛି ବାଧକ। ମୁଖ୍ୟମନ୍ତ୍ରୀଙ୍କ ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକଙ୍କ ସମେତ ଗ୍ରାମବାସୀ କାମ ଧନ୍ଦା କରିବ। ଭଲ ଦି ପଇସା ରୋଜଗାର କରିବ । ବାପା ମା ସ୍ତ୍ରୀ ପିଲାଙ୍କୁ ଭଲରେ ରଖିବ। ଧାର କରଜ ଶୁଝିବ । ଏମିତି ଆଖିରେ ଆଖିଏ ସ୍ବପ୍ନ ନେଇ କେରଳକୁ ଦାଦନ ଖିଟିବାକୁ ଯାଇଥିଲେ କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଡବାମାହା ଗାଁର ଶନିଆ ବେହେରା। ହେଲେ ଦାଉ ସାଧିଲା ଦଇବ। ଦେହ ଖରାପ ହେବାରୁ କେରଳ କୋଟ୍ଟାୟାମ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିଯିବାରୁ ଶନିଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ଜୀଁ ଥାଇ ଶନିଆକୁ ଦେଖିପାରିନଥିବା ପରିବାର ଲୋକେ ମଲାମୁହଁକୁ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି।କେରଳରୁ ଆସିପାରୁନି ଶନିଆର ମୃତଦେହ। ଅର୍ଥ ସାଜିଛି ବାଧକ। ମୃତଦେହକୁ ଆଣିବାକୁ ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ୮୦ ହଜାର ଟଙ୍କା ଡିପୋଜିଟ କରିବାକୁ କହୁଛନ୍ତି। ତେବେ ଅଭାବୀ ଗରିବ ପରିବାର ଏତେ ପଇସା ଆଣିବେ କେଉଁଠୁ। ଶବକୁ ଗାଁକ ଆଣିବାକୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଜିଲ୍ଲା ପାଳଙ୍କୁ ମଧ୍ୟ ଭେଟିଛନ୍ତି। ଜିଲ୍ଲାପାଳ ଓ ବିଡିଓ ଆଲୋଚନା କରି ମାତ୍ର ୧୦ ହଜାର ଟଙ୍କା ସାହାଯ୍ୟ କରିପାରିବେ ବୋଲି କହିଛନ୍ତି। ଏବେ ପରିବାର ଲୋକେ ଅନାଇ ବସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହାୟତାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.