ଅଭାବନୀୟ ଦୃଶ୍ୟ : ୧୨ ଘଣ୍ଟା ଧରି ମେଡିକାଲ ବାହାରେ ପଡ଼ିରହିଛି ଶବ
25/09/2023 at 4:55 PM

ବୌଦ୍ଧ ୨୫।୯: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶବକୁ ଅସମ୍ମାନ କରି ୧୨ ଘଣ୍ଟା ଧରି ମେଡିକାଲ ଗେଟ୍ ବାହାରେ ପଡ଼ି ରହିଛି ଶବ । ପୋଲିସ ରିପୋର୍ଟ ଦେବା ପରେ ମଧ୍ୟ ଶବ ଛାଡ଼ୁନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ମୃତକ ତେତେଲେଙ୍ଗା ଗ୍ରାମର ପୋଳସ୍ତି ବାଘ ।
ଅଭିଯୋଗ ଅନୁଯାୟୀ, ବୌଦ୍ଧ ଜିଲ୍ଲା ତେତେଲେଙ୍ଗା ଗ୍ରାମର ପୋଳସ୍ତି ବାଘ ସୋମବାର ଭୋର୍ ୩ଟା ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ । ତେବେ ଡାକ୍ତର ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକେ ସକାଳୁ ଶବଟିକୁ ସତ୍କାର କରିବା ପାଇଁ ନେଇଯିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଲେ ପୋଲିସ ରିପୋର୍ଟ ନଦେବା ପର୍ଯ୍ୟନ୍ତ ଶବଟିକୁ ଛାଡ଼ିବେ ନାହିଁ ବୋଲି ମନା କରିଦେଇଥିଲେ ।
ତେବେ ପରିବାର ଲୋକେ ଆଦର୍ଶ ଥାନାକୁ ଯାଇ ସେଠାରୁ ରିପୋର୍ଟ ଆଣି ମେଡିକାଲରେ ଦେବା ପରେ ମଧ୍ୟ ଶବଟିକୁ ଛାଡ଼ୁନଥିବା ଅଭିଯୋଗ ହୋଇଛି । ଦୀର୍ଘ ୧୨ଘଣ୍ଟା ଧରି ଗେଟ୍ ବାହାରେ ଶବଟିକୁ ପକାଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ମନମାନୀ କରି ଶବଟିକୁ ଛାଡୁନଥିବା ଅଭିଯୋଗ ହୋଇଛି । ତେବେ ହୃତଘାତରେ ଭୋର୍ ୪ଟାରେ ମୃତ୍ୟୁବରଣ କରିଥିଲେ ମଧ୍ୟ ଏତେ ସମୟ ପର୍ଯ୍ୟନ୍ତ କାହିଁକି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଉନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ସିଡିଏମଓଙ୍କୁ ଯୋଗାଯୋଗ କରିବାରୁ ସେ ଅଫିସରେ ନଥିବା ବେଳେ ଫୋନ୍ ଉଠାଉ ନଥିବା ଯୋଗାଯୋଗ ହୋଇପାରିନାହିଁ ।
You Can Read :