ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ନିଆଁ ବର୍ଷା। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ। ଦିନ ୧୦ ଟା ପରେ ବାହାରି ହେଉନି ଘରୁ। ବୁଧବାର ଭଳି ଗୁରୁବାର ବି ସାରା ରାଜ୍ୟରେ ଗରମରେ ସନ୍ତୁଳି ହେଲେ ଲୋକେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗଙ୍କୁ ଗୁଳୁଗୁଳି ଓ ଝାଞ୍ଜି ମାଡ଼ରେ କଲବଲ ହେଲେ ରାଜ୍ୟବାସୀ।
ରାଜଧାନୀ କଥା ତ’ ନକହିବା ଭଲ। କାରଣ ଗୁରୁବାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ବର। ଏଠାରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ଟପିଛି। ଯାହା ଅସ୍ତବ୍ୟସ୍ତ କରିଦେଇଥିଲା ରାଜଧାନୀବାସୀ। ତାତି ଏତେ ଥିଲା ଯେ, ରାଜଧାନୀ ରାଜରାସ୍ତା ହୋଇପଡ଼ିଥିଲା ଖାଁ ଖାଁ।
କେବଳ ଭୁବେନଶ୍ବର ନୁହେଁ, ବୌଦ୍ଧରେ ୪୩.୫ ଡିଗ୍ରୀ ସେଲସିୟସ ଏବଂ ଅନୁଗୁଳରେ ମଧ୍ୟ ୪୩.୨ ଡିଗ୍ରୀ ସେଲସିୟସ ରହିଥିଲା ତାପମାତ୍ରା। ଆହୁରି ମଧ୍ୟ ଗୁରୁବାର ୪୦ ଡିଗ୍ରୀ ଉପରେ ରହିଛି ୩୨ ସହରର ତାପମାତ୍ରା। ଝାରସୁଗୁଡ଼ାରେ ୪୨.୮, ବାରିପଦା ୪୨.୬, ଜଗତସିଂହପୁର, ମାଲକାନଗିରି, ଟିଟିଲାଗଡ଼ ୪୨.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ନୂଆପଡ଼ା, ତାଳଚେର, ସମ୍ବଲପୁର ବାଲେଶ୍ବରରେ ୪୨.୨ ଡିଗ୍ରୀ ରେକର୍ଡ ହୋଇଛି। ଏହା ସହ, ଢେଙ୍କାନାଳ, ନୟାଗଡ଼, ଭବାନୀପାଟଣା, ବଲାଙ୍ଗୀରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସପଟେ ପାଣିପାଗ ବିଭାଗ ଅନୁମାନ ଅନୁଯାୟୀ, ଆଗକୁ ମଧ୍ୟ ଏଭଳି ଅଗ୍ନିବର୍ଷା ଜାରି ସାଂଘାତିକ ହେବ। ଆଗାମୀ ୨ରୁ ତିନି ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। କାଳବୈଶାଖୀର ମଧ୍ୟ ସମ୍ଭାବନା ନାହିଁ।