ପାଠ ପାଇଁ ଦିନ ମଜୁରିଆ ସାଜିଛନ୍ତି ଜୟପୁର ମହିଳା ମହାବିଦ୍ୟାଳୟର ଉପ ସଭାପତି ଶାନ୍ତିମଣି
4/05/2018 at 12:44 PM

ପାଠ ପଢିବା ସହ ପରିବାର ଭରଣ ପୋଷଣ ପାଇଁ ଦିନ ମଜୁରିଆ ସାଜିଛନ୍ତି ଜୟପୁର ମହିଳା ମହାବିଦ୍ୟାଳୟର ଉପ ସଭାପତି ଶାନ୍ତିମଣି ନାୟକ।କେତେବେଳେ କୋଦାଳ ଧରୁଛନ୍ତି ତ ଆଉ କେତେବେଳେ କଲମ।ଏହି ଖବର ନ୍ୟୁଜ୭ରେ ପ୍ରସାରଣ ପରେ ଶାନ୍ତିମଣିଙ୍କ ପରିବାରକୁ ସହାୟତାର ହାତ ବଢାଇଛି କୋରାପୁଟ ଜିଲ୍ଲା ପ୍ରଶାସନ।ଜିଲ୍ଲାପାଳଙ୍କ ନିର୍ଦେଶରେ ଜୟପୁର ଉପଜିଲ୍ଲାପାଳ
ଶାନ୍ତିମଣିକୁ ଭେଟିବା ପରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଯନାରେ ଏକ ଘର ସହ ରେଡ୍ କ୍ରସରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି।ଜିଲ୍ଲା ପ୍ରଶାସନର ଏପରି ପ୍ରତିଶୃତି ପରେ ଶାନ୍ତିମଣିଙ୍କ ପରିବାରରେ ଏବେ ଖୁସିର ମାହୋଲ ଦେଖା ଦେଇଥିବା ବେଳେ ପରିବାର ଲୋକ ନ୍ୟୁଜ୭କୁ ଧନ୍ୟବାଦ ଦେଇଛନ୍ତି।
ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଉପ ସଭାପତି ଶାନ୍ତିମଣି ନାୟକ।ଉଚ୍ଚ ଶିକ୍ଷିତା।ଯୁକ୍ତ ୩ ଶେଷ ବର୍ଷ ଇତିହାସ ସମ୍ମାନର ଛାତ୍ରୀ।ଘରେ ଆର୍ଥିକ ସମସ୍ୟା ଥିବାରୁ ପରିବାର ଚଳାଇବା ସହ ନିଜ ପାଠ ପଢା ପାଇଁ ଦିନ ମଜୁରିଆ ଭାବେ କୁଲି କାମ କରୁଛନ୍ତି।କେତେବେଳେ ହାତରେ ଧରୁଛନ୍ତି କୋଦାଳ ତ ଆଉ କେତେବେଳେ କଲମ।ଏହି ଖବର ଗତ ୧ ତାରିଖ ଦିନ ନ୍ୟୁଜ୭ରେ ପ୍ରସାରଣ କରିବା ପରେ ଶାନ୍ତିମଣିଙ୍କୁ ସହାୟତାର ହାତ ବଢାଇଛି କୋରାପୁଟ ଜିଲ୍ଲା ପ୍ରଶାସନ।ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ପରେ ଜୟପୁର ଉପ ଜିଲ୍ଲାପାଳ ଶାନ୍ତିମଣିଙ୍କୁ ଭେଟିବା ସହ ତାଙ୍କର ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।ଶାନ୍ତିମଣିର ଯୋଗ୍ୟତା ଅନୁସାରେ କାଉନସିଲିଂ କରାଯାଇ ଏକ ଚାକିରୀ ଯୋଗାଇ ଦେବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଯନାରେ ଏକ ଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ସେ।ସେହିପରି ତାଙ୍କ ବାପାଙ୍କ ଚିକିତ୍ସା ପାଇଁ ରେଡ୍ କ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଜୟପୁର ଉପଜିଲ୍ଲାପାଳ।
ଶାନ୍ତିମଣି ନିଜ ପରିବାର ସହ ଜୟପୁର ଜମୁନାଗୁଡାରେ ରହୁଥିବା ବେଳେ ପରିବାରରେ ମୋଟ ୮ ଜଣ ସଦଶ୍ୟ ।ଶାନ୍ତିମଣିଙ୍କ ବାପା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ରୋଜଗାରରେ ପରିବାର ଚଳେ।ହେଲେ ଦୁର୍ଘଟଣାରେ ସେ ଗୁରୁତର ଆହାତ ହେବା ପରେ ଏବେ ଆଉ କାମ କରି ପାରୁନାହାଁନ୍ତି।ତେଣୁ ବାପାଙ୍କ ଚିକିତ୍ସା ସହ ପରିବାର ଚଳାଇବା ଓ ନିଜ ପାଠ ପଢା ପାଇଁ ଏବେ ଦୁଇ ଭାଇଙ୍କ ସହ ଦିନ ମଜୁରିଆ ଭାବେ କୁଲି କରୁଛନ୍ତି ଶାନ୍ତିମଣି।ଆଗକୁ ପୋଲିସ ଅଫିସର ହେବାକୁ ସେ ଲକ୍ଷ୍ୟ ରଖିଥିବା ବେଳେ ଅର୍ଥ ସାଜିଛି ବାଧକ।ତେବେ ପ୍ରଶାସନର ପ୍ରତିଶୃତି ପରେ ଶାନ୍ତିମଣିଙ୍କ ପରିବାରର ଏବେ ଖୁସିର ମାହୋଲ।ନ୍ୟୁଜ୭ ସେମାନଙ୍କ ସମସ୍ୟା ପ୍ରଶାସନ ନିକଟରେ ପହଁଚାଇ ପାରିଥିବାରୁ ନ୍ୟୁଜ୭କୁ ଧନ୍ୟବାଦ ଦେଇଛନ୍ତି ଶାନ୍ତିମଣିଙ୍କ ପରିବାର।