ୟୁପିର ମୁରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ଭେଶ ସିଂଙ୍କ ପରଲୋକ, ଏଠି ପ୍ରଥମ ପର୍ଯ୍ୟାୟରେ ହୋଇସାରିଛି ଭୋଟ୍

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ: ମୁରାଦାବାଦରୁ ବିଜେପି ପ୍ରାର୍ଥୀ ସର୍ଭେଶ ସିଂଙ୍କ ପରଲୋକ ହୋଇଛି । ମୁରାଦାବାଦରେ ଗତକାଲି ଶୁକ୍ରବାର ଲୋକସଭା ପାଇଁ ଭୋଟ ହୋଇଥିଲା । କିଛି ଦିନ ପୂର୍ବେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କ ଦାନ୍ତରେ ପୀଡ଼ା ହୋଇଥିଲା । ଯେଉଁଥି ପାଇଁ ସେ ଚିକିତ୍ସା କରାଇଥିଲେ । ଏହାପରେ ବି ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହୋଇଥିଲେ । କୁହାଯାଉଛି ଯେ ସେଠାରେ ତାଙ୍କୁ ହାର୍ଟଆଟାକ୍ ହୋଇଥିଲା । ସର୍ଭେଶ ସିଂ ପଶ୍ଚିମ ଉତ୍ତର ପ୍ରଦେଶର ଏକମାତ୍ର ଠାକୁର ପ୍ରାର୍ଥୀ ଥିଲେ ।

ସର୍ଭେଶ ସିଂ ୧୯୯୧ରେ ପ୍ରଥମ ଥର ବିଜେପି ଟିକଟରେ ଠାକୁରଦ୍ୱାରା ଆସନରେ ବିଧାନସଭା ନିର୍ବାଚନ ଲଢିଥିଲେ । ଏହାପରେ ଲଗାତାର ଚାରି ଥର ଜିତିଥିଲେ । ଠାକୁରଦ୍ୱାରା ଆସନରେ ଏବେ ସୁଦ୍ଧା ପାର୍ଟି ତାଙ୍କର ବିକଳ୍ପ ଖୋଜି ପାରି ନାହିଁ । ସର୍ଭେଶ ସିଂଙ୍କୁ ବିଜେପି ଚତୁର୍ଥ ଥର ପାଇଁ ମୁରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କରିଥିଲା । ୨୦୦୯ରେ ସେ ପୂର୍ବତନ କ୍ରିକେଟରେ ଆଜାରୁଦ୍ଦିନଙ୍କୁ ପ୍ରାୟ ୫୦ ହଜାର ଭୋଟରେ ହରାଇଥିଲେ । 

ଚଳିତ ଥର ବିଜେପି ପୁଣି ଥରେ ସର୍ଭେଶ ସିଂ ଉପରେ ବିଶ୍ୱାସ କରିଥିଲା ଏବଂ ଚତୁର୍ଥ ଥର ପାଇଁ ଟିକଟ ଦେଇଥିଲା । ସର୍ଭେଶ ସିଂଙ୍କ ବାପା ରାଜା ରାମପାଳ ସିଂ ମଧ୍ୟ ଠାକୁରଦ୍ୱାରାରୁ ୪ଥର ବିଧାୟକ ଥିଲେ । ସର୍ଭେଶ ସିଂଙ୍କ ପୁଅ ସୁଶାନ୍ତ ସିଂ ବିଜନୌରର ବଢାପୁର ଆସନରୁ ବର୍ତ୍ତମାନ ସମୟରେ ବିଜେପି ବିଧାୟକ ଅଛନ୍ତି ।

ନିୟମ ଅନୁସାରେ ଭୋଟିଂ ପୂର୍ବରୁ ଯଦି କୌଣସି ପ୍ରାର୍ଥୀଙ୍କ ନିଧନ ହୁଏ ତେବେ ନିର୍ବାଚନ ସ୍ଥଗିତ ହୋଇଥାଏ । କିନ୍ତୁ ଏଠାରେ ନିର୍ବାଚନ ହୋଇସାରିଛି । ଏପରି ସ୍ଥିତିରେ କାଉଣ୍ଟିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ମତଗଣନା ପରେ ଯଦି ସର୍ଭେଶ ସିଂ ବିଜୟୀ ହୁଅନ୍ତି ତେବେ ଏହି ଆସନ ଖାଲି ଥିବା ଘୋଷଣା ହେବ ଏବଂ ପୁଣି ଥରେ ନିର୍ବାଚନ ପ୍ରକ୍ରିୟା ହେବ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.