ବାଂଲାଦେଶ ଉପରେ ପରାଜୟର ବାଦଲ, ବିଜୟଠୁ ୪ ଓ୍ଵିକେଟ୍‌ ଦୂରରେ ଭାରତ

Published By : Prameya-News7 Bureau | December 17, 2022 IST

ଚଟ୍ଟଗାଓଁ: ରୋମାଞ୍ଚକର ମୋଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ। ରବିବାର ମ୍ୟାଚ୍‌ର ଶେଷ ତଥା ଅନ୍ତିମ ଦିନ ଥିବା ବେଳେ ମ୍ୟାଚ୍‌ର ଫଳାଫଳ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି। ଶେଷ ଦିନରେ ଭାରତକୁ ମୁକାବିଲା ଜିତିବା ପାଇଁ ୪ ଓ୍ଵିକେଟ୍ ଦରକାର ଥିବା ବେଳେ ଘରୋଇ ବାଂଲାଦେଶକୁ ଦରକାର ୨୪୧ ରନ। ତେବେ ବାଂଲାଦେଶ ଉପରେ ପରାଜୟର ବାଦଲ ଛାଇ ରହିଛି। ଭାରତ ଦ୍ଵାରା ଧାର୍ଯ୍ୟ ୫୧୩ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୨୭୨ ରନ କରିଛି। ଅଧିନାୟକ ସାକିବ ଅଲ ହସନ ୪୦ ରନ ଏବଂ ମେହଦି ହାସନ ମିର୍ଜା ୯ ରନ କରି କ୍ରିଜରେ ବ୍ୟାଟିଂ କରୁଛନ୍ତି। ବାଂଲାଦେଶ ପକ୍ଷରୁ ଚତୁର୍ଥ ଦିନର ଖେଳରେ ଜାକିର ହସନ ୧୦୦ ରନର ଦମଦାର ଶତକୀୟ ଇନିଂସ ଖେଳି ମ୍ୟାଚ୍‌କୁ ପଞ୍ଚମ ଦିନକୁ ଟାଣି ନେଇଛନ୍ତି। ତାଙ୍କ ବ୍ୟତୀତ ଓପନର ନଜମୁଲ ହୋସେନ ସାଣ୍ଟୋ ୬୭ ରନର ଉପଯୋଗୀ ଇନିଂସ ଖେଳିଛନ୍ତି।

ବାଂଲାଦେଶ ୪୨/୦ରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା। ନଜମୁଲ ହୋସେନ ସାଣ୍ଟୋ ୨୫ ଏବଂ ଜାକିର ହସନ ୧୭ ରନ କରି କ୍ରିଜରେ ଅପରାଜିତ ଥିଲେ। ଦୁଇ ଓପନର ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ୧୨୪ ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ କରୁଥିବା ସାଣ୍ଟୋ ବ୍ୟକ୍ତିଗତ ୬୭ ରନ ସ୍କୋରରେ ଉମେଶ ଯାଦବଙ୍କ ଶିକାର ହୋଇଥିଲେ। ଏହା ପରେ ବାଂଲାଦେଶ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ୟାସିର ଅଲ୍ଲୀ(୫) ଏବଂ ଲିନଟ ଦାସ(୧୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅନ୍ୟପଟେ ଜାକିର ହସନ ଦମଦାର ବ୍ୟାଟିଂ କରି ନିଜର ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ।

ତେବେ ୧୦୦ ରନରେ ଜାକିରଙ୍କ ଇନିଂସର ପରିସମାପ୍ତି ଘଟିଥିଲା। ମୁସଫିକର ରହିମ ୨୩ ରନ କରି ପାଭିଲିୟନ ଫେରିଥିଲେ। ନୁରୁଲ ସହନ(୩) ଦିନର ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ସାକିବ ଅଲ ହସନ(୪୦) ଏବଂ ମେହଦି ହାସନ ମିର୍ଜା(୯)  କୌଣସି ଓ୍ଵିକେଟ୍ ହରାଇବାକୁ ଦେଇନଥିଲେ। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ୬ ଓ୍ଵିକେଟ୍ ହରାଇ ୨୭୨ରନ କରିଛି। ଶେଷ ଦିନରେ ଦଳକୁ ଜିତିବା ପାଇଁ ୨୪୧ ରନ ଦରକାର ଥିବା ବେଳେ ହାତରେ ରହିଛି ୪ ଓ୍ଵିକେଟ୍।

ଭାରତ ପକ୍ଷରୁ ଅକ୍ଷର ପଟେଲ୍ ଭଲ ବୋଲିଂ କରି ୫୦ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ଉମେଶ ଯାଦବ, କୁଲଦୀପ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ଵିନ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୦୪ ରନ କରିଥିବା ବେଳେ ବାଂଲାଦେଶ ୧୫୦ ରନରେ ଅଲଆଉଟ୍ ହୋଇଥିଲା। ଭାରତ ଦ୍ଵିତୀୟ ଇନିଂସ ୨/୨୫୮ରେ ଇନିଂସ ଘୋଷଣା କରିବାରୁ ବାଂଲାଦେଶ ସମ୍ମୁଖରେ ୫୧୩ ରନର ବିଜୟ ଲକ୍ଷ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.