ଫର୍ମକୁ ଫେରିଲେ ପୂଜାରା, ଜାଗି ଉଠିଲା ମ୍ୟାଚ୍‌କୁ ଫେରିବାର ଆଶା, ତୃତୀୟ ଦିନରେ ଭାରତ ୨୧୫/୨

Published By : Prameya-News7 Bureau | August 27, 2021 IST

ଲିର୍ଡ୍ସ ୨୭।୦୮: ଫର୍ମକୁ ଫେରିଲେ ଭାରତର ନୂତନ ଦ ଓ୍ଵାଲ କୁହାଯାଉଥିବା ଚେତେଶ୍ଵର ପୂଜାରା। ପ୍ରଥମ ଇନିଂସରେ ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିବା ଭାରତୀୟ ବ୍ୟାଟସମ୍ୟାନ ଦ୍ଵିତୀୟ ଇନିଂସରେ ସିଂହ ପରି ଲଢିବା ଜାରି ରଖିଛନ୍ତି। ପୂଜାରାଙ୍କ ଅପରାଜିତ ୯୧ ରନ ଓ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୪୫ ରନ ବଳରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ବିନିମୟରେ ୨୧୫ ରନ କରିଛି। ଏବେ ବି ଦଳ ଇଂଲଣ୍ଡଠୁ ୧୩୯ ରନରେ ପଛୁଆ  ରହିଛି ଏବଂ ହାତରେ ରହିଛି ୮ ଓ୍ଵିକେଟ୍। ଓପନର ରୋହିତ ଶର୍ମା ୫୯ ରନର ଉପଯୋଗୀ ଇନିଂସ ଖେଳି ଆଉଟ୍ ହୋଇଛନ୍ତି। ଖରାପ ଆଲୋକ କାରଣରୁ ତୃତୀୟ ଦିନର ଖେଳ ଶୀଘ୍ର ବନ୍ଦ ହୋଇଛି। ଚତୁର୍ଥ ଦିନ ଖେଳର ପ୍ରଥମ ସେସନ ବହୁ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ଅପରାଜିତ ଦୁଇ ବ୍ୟାଟସମ୍ୟାନଙ୍କଠୁ ଦଳ ସହ ପ୍ରଶଂସକ ବହୁତ ଆଶା ରଖିଛନ୍ତି। ଟପ୍ ଅର୍ଡର  ବ୍ୟାଟସମ୍ୟାନଙ୍କ ଆଜିର ପ୍ରଦର୍ଶନ ଦେଖି ଏହି ମ୍ୟାଚ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରିବାର ଆଶାର କିରଣ ଦେଖିବାକୁ ମିଳିଛି। ଏହା ପୂର୍ବରୁ ତୃତୀୟ ଦିନର ଖେଳ ଆରମ୍ଭରୁ ଇଂଲଣ୍ଡ ୪୩୨ ରନରେ ଅଲଆଉଟ୍ ହୋଇଥିଲା।

୩୫୪ ରନର ବିଶାଳ ପଛୁଆ ରହିବା ପରେ  ଭାରତ ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା। ଚାପରେ ଥିଲା ପୂରା ଦଳ। ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ବହୁ ସତର୍କତାର ସହ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ୩୪ ରନ ଯୋଡିଥିଲେ। କେଏଲ ରାହୁଲ(୮) ବିଦାୟ ନେଇଥିଲେ। ଲାଗିଲା ଭାରତୀୟ ବ୍ୟାଟସମ୍ୟାନ ଚାପ ସହି ପାରିବେ ନାହିଁ। ହେଲେ ରୋହିତ ଓ ଚେତେଶ୍ଵର ପୂଜାରା ଇନିଂସକୁ ଆଗକୁ ବଢାଇଥିଲେ। ସଭିଙ୍କ ନଜର ଥିଲା ଚେତେଶ୍ଵର ପୂଜାରାଙ୍କ ଉପରେ। କାରଣ ସେ ଦୀର୍ଘ ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଥିଲେ। ତାଙ୍କ ବ୍ୟାଟରୁ ରନ ଯେମିତି ଶୁଖି ଯାଇଥିଲା। ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର କେଉଁ ଦିଗକୁ ଯିବ ଏହି ଇନିଂସ ଉପରେ ଅନେକାଂଶ ନିର୍ଭର କରୁଥିଲା। ହେଲେ ଲିଡ୍ସ ଟେଷ୍ଟର ଦ୍ଵିତୀୟ ଇନିଂସରେ ପୂଜାରାଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଛି।

ସର୍ବଦା ଅତ୍ୟଧିକ ଡିଫେନ୍ସ କରିବା ନେଇ ସମାଲୋଚନାର ଶିକାର ପୂଜାରାଙ୍କ ବ୍ୟାଟିଂରେ ଆଜି ନୂତନ ଶୈଳୀ ଦେଖିବାକୁ ମିଳିଥିଲା। ଦ୍ରୁତ ରନ କରିବାର ବ୍ୟାକୁଳତା ତାଙ୍କ ବ୍ୟାଟିଂରୁ ଝଲସି ଉଠୁଥିଲା। ଆଉ ଏହାର ଫାଇଦା ପାଇଛି ଭାରତୀୟ ଦଳ। ଅନ୍ୟପଟେ ରୋହିତ ଶର୍ମା ନିଜର ଫର୍ମ ବଜାୟ ରଖି ୧୪ତମ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ଓ ପୂଜାରା ଦ୍ଵିତୀୟ ଓ୍ଵିକେଟ୍‌ରେ ୮୨ ରନ ଯୋଡି ଦଳର ରନକୁ ୧୧୬ରେ ପହଞ୍ଚାଇଥିଲେ। ରୋହିତ ଶର୍ମା ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ସେ ୭ ଚୌକା ଓ ୧ ଛକା ସହାୟତାରେ ୫୯ ରନ କରିଥିଲେ।

ଏହା ପରେ କ୍ରିଜରେ ପୂଜାରାଙ୍କ ସହ ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି। ଖରାପ ଫର୍ମରେ ସଂଘର୍ଷ କରୁଥିବା ଏହି ଦୁଇ ବ୍ୟାଟସମ୍ୟାନ ନିଜର ଖ୍ୟାତି ଅନୁଯାୟୀ ବ୍ୟାଟିଂ କରି ଦଳର ଇନିଂସ ଆଗକୁ ବଢାଇଛନ୍ତି। ପୂଜାରା ଫର୍ମକୁ ଫେରିବାର ସଙ୍କେତ ଦେବା ସହ ଟେଷ୍ଟରେ ନିଜର ୩୦ତମ ଅର୍ଦ୍ଧଶତକ ହାସଲ କରି ଶତକ ଅଭିମୁଖେ ଅଗ୍ରସର ହେଉଛନ୍ତି। ଅନ୍ୟପଟେ କୋହଲି  ମଧ୍ୟ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ଉଭୟ ବ୍ୟାଟସମ୍ୟାନ ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ଏ ପର୍ଯ୍ୟନ୍ତ ୯୯ ରନ ଯୋଡିଛନ୍ତି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୨ ଓ୍ଵିକେଟ୍ ହରାଇ ୨୧୫ ରନ କରିଛି। ପୂଜାରା ୧୫ ଚୌକା ସହ ୯୧ ରନ ଏବଂ କୋହଲି ୪୫ ରନ କରି ଅପରାଜିତ ଅଛନ୍ତି। ଦୁଇ ବରିଷ୍ଠ ବ୍ୟାଟସମ୍ୟାନଙ୍କ ଏହି ବ୍ୟାଟିଂ ପରେ ଭାରତ ଲିଡ୍ସ ଟେଷ୍ଟକୁ ବଞ୍ଚାଇ ରଖିବାର  ଆଶାର କିରଣ ନଜର ଆସିଛି।

ଏହା ପୂର୍ବରୁ ଭାରତର ପ୍ରଥମ ଇନିଂସ ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରିଥିଲା। ଦଳ ଭାରତଠୁ ୩୫୪ ରନ ଅଗ୍ରଣୀ ହାସଲ କରିଥିଲା। ଜୋ ରୁଟ୍ ୧୨୧ ରନଙ୍କ ବ୍ୟତୀତ ହାସିବ ଅହମ୍ମଦ ୬୮ ଓ ରରି ବର୍ଣ୍ଣ୍ସ ୬୧ ରନର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.