ଚଟ୍ଟଗାଓଁ: ଚଟ୍ଟଗାଓଁରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ଭାରତ ଦ୍ଵିତୀୟ ଇନିଂସରେ ୨୫୮/୨ ସ୍କୋରରେ ପାଳି ସମାପ୍ତି ଘୋଷଣା ପରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବାଂଲାଦେଶ ସମ୍ମୁଖରେ ୫୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ କୌଣସି ଓ୍ଵିକେଟ୍ ନହରାଇ ୪୨ ରନ କରିଛି। ନଜମୁଲ ହୋସେନ ସାଣ୍ଟୋ ୨୫ ଏବଂ ଜାକିର ହସନ ୧୭ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ବାଂଲାଦେଶକୁ ମ୍ୟାଚ୍ ଜିତିବା ପାଇଁ ଆହୁରି ୪୭୧ ରନ ଦରକାର। ଖେଳ ଆହୁରି ଦୁଇ ଦିନ ବାକି ଥିବା ବେଳେ ଫଳାଫଳ ବାହାରିବା ପ୍ରାୟତଃ ନିଶ୍ଚିତ। ବାଂଲାଦେଶ ହାତରେ ଲକ୍ଷ୍ୟ ପିଛା କରିବାର ସମୟ ରହିଥିବା ବେଳେ ଭାରତ ନିକଟରେ ବାଂଲାଦେଶକୁ ଅଲଆଉଟ୍ କରିବାର ପର୍ଯ୍ୟାପ୍ତ ସମୟ ରହିଛି। ତୃତୀୟ ଦିନରେ ଭାରତର ଦ୍ଵିତୀୟ ଇନିଂସରେ ଶୁଭମାନ ଗିଲ୍ ୧୧୦ ରନ କରିଥିବା ବେଳେ ଚେତେଶ୍ଵର ପୂଜାରା ଅପରାଜିତ ୧୦୨ ରନର ଇନିଂସ ଖେଳିଛନ୍ତି।
ଦୀର୍ଘ ଚାରି ବର୍ଷ ପରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରାଙ୍କ ଶତକ ପରେ ଭାରତ ଶୁକ୍ରବାର ତୃତୀୟ ଦିନରେ ଦ୍ଵିତୀୟ ଇନିଂସ ସମାପ୍ତି ଘୋଷଣା କରିଥିଲା। ଭାରତ ୨ ଓ୍ଵିକେଟ୍ ବିନିମୟରେ ୨୫୮ ରନରେ ଦ୍ଵିତୀୟ ଇନିଂସ ଘୋଷଣା କରିବାରୁ ପ୍ରଥମ ଇନିଂସରେ ୨୫୪ ରନର ଅଗ୍ରଣୀ ଭିତ୍ତିରେ ବାଂଲାଦେଶ ସମ୍ମୁଖରେ ୫୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଭାରତର ଦ୍ଵିତୀୟ ଇନିଂସରେ ପୂଜାରା ୧୦୨ ରନ କରି ଅପରାଜିତ ଏବଂ ବିରୋଟ କୋହଲି ୧୯ ରନରେ ଅପରାଜିତ ଥିଲେ। ଶୁଭମାନ ଗିଲ୍ ୧୧୦ ରନର ଦମଦାର ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୦୪ ରନ କରିଥିବା ବେଳେ ଜବାବରେ ବାଂଲାଦେଶ କୁଲଦୀପ ଯାଦବଙ୍କ ମୁକାବିଲା କରିନପାର ୧୫୦ ରନରେ ଅଲଆଉଟ୍ ହୋଇଥିଲା।
ବାଂଲାଦେଶ ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମୁକାବିଲା କରି ପାରିନଥିଲା। ଜଣେ ହେଲେ ବ୍ୟାଟସମ୍ୟାନ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଦଳ ପକ୍ଷରୁ ମୁସଫିକର ରହିମ ସର୍ବାଧିକ ୨୮ ରନ କରିଛନ୍ତି। ମେହଦି ହାସନ ମିର୍ଜା ୨୫ ରନ, ଲିଟନ ଦାସ ୨୪ ଏବଂ ଜାକିର ହସନ ୨୦ ରନ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ୪୦ ରନ ଦେଇ ୫ଟି ଓ୍ଵିକେଟ୍ ହାସଲ କରିଛନ୍ତି। ମହମ୍ମଦ ସିରାଜ ୨୦ ରନରେ ୩ ଏବଂ ଉମେଶ ଯାଦବ ଓ ଅକ୍ଷର ପଟେଲ୍ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୪୦୪ ରନ କରିଥିଲା। ଦଳ ପକ୍ଷରୁ ପୂଜାରା ସର୍ବାଧିକ ୯୦ ରନ କରିଥିବା ବେଳେ ଶ୍ରେୟସ ଆୟର ୮୬, ରବିଚନ୍ଦ୍ରନ ଅଶ୍ଵିନ ୫୮ ଏବଂ ଋଷଭ ପନ୍ତ ୪୬ ରନ କରିଛନ୍ତି।