WTC ଫାଇନାଲ୍: ସରିଲା ୩ୟ ଦିନର ଖେଳ, ୨୯୬ ରନରେ ଆଗୁଆ ଅଷ୍ଟ୍ରେଲିଆ, ବ୍ୟାକଫୁଟ୍ରେ ଭାରତ
9/06/2023 at 11:45 PM

ଲଣ୍ଡନ: ଲଣ୍ଡରନ ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟଟିସି) ୨୦୨୩ର ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆର ପ୍ରାଧ୍ୟାନ୍ୟ ଜାରି ରହିଛି। ତୃତୀୟ ଦିନର ଖେଳ ସରିଥିବା ବେଳେ ଭାରତ ବ୍ୟାକଫୁଟ୍ରେ ରହିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି। ଏଥିସହ କଙ୍ଗାରୁ ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୨୯୬ ରନ ଆଗରେ ରହିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା।
ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ଦଳୀୟ ସ୍କୋର ୨ ରନରେ ଡେଭିଡ୍ ଓ୍ଵାର୍ଣ୍ଣର(୧) ଆଉଟ୍ ହୋଇଥିଲେ। ପୁଣି ୨୪ ରନ ସ୍କୋରରେ ଉସ୍ମାନ ଖ୍ଵାଜା(୧୩) ପାଭିଲିୟନ ଫେରିଥିଲେ। ଏହାପରେ ମାର୍ନସ ଲାବୁସେନ ଏବଂ ଷ୍ଟିଭ୍ ସ୍ମିଥ୍ ତୃତୀୟ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ି ସ୍ଥିତିରେ ସୁଧାର ଆଣିଥିଲେ। ତେବେ ୮୬ ରନ ସ୍କୋରରେ ସ୍ମିଥ୍ ୪୭ ବଲ୍ରୁ ୩ ଚୌକା ସହ ୩୪ ରନ କରିଥିଲେ। ପ୍ରଥମ ଇନିଂସରେ ଦମଦାର ଶତକୀୟ ଇନିଂସ ଖେଳିଥିବା ଟ୍ରେଭିସ୍ ହେଡ୍ ୧୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଦିନର ଶେଷ ଆଡ଼କୁ ଲାବୁସେନ ଏବଂ ଗ୍ରୀନ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଖେଳୁଛନ୍ତି। ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ରବୀନ୍ଦ୍ର ଜାଡ଼େଜା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ୍ ଏବଂ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ଏହା ପୂର୍ବରୁ ଦ୍ଵିତୀୟ ଦିନର ସ୍କୋର ୧୫୧/୫ରୁ ଭାରତ ବ୍ୟାଟିଂ କରିଥିଲା। କ୍ରିଜରେ ଥିଲେ ଆଜିଙ୍କ୍ୟ ରାହାଣେ ଏବଂ କେଏସ୍ ଭରତ। ତୃତୀୟ ଦିନର ଆରମ୍ଭରୁ ହିଁ ଭାରତକୁ ଷଷ୍ଠ ଝଟକା ଲାଗିଥିଲା। କେଏସ ଭରତ(୫) ପାଭିଲିୟନ ଫେରିଥିଲେ। ଏହା ପରେ ରାହାଣେ ଏବଂ ଶାର୍ଦ୍ଦୁଳ ଠାକୁର ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦୁର୍ବଳ ବଲ୍କୁ ବାଉଣ୍ଡରୀ ପଠାଇବାର ସୁଯୋଗ ହାତଛଡ଼ା କରୁନଥିଲେ। ଏହି କ୍ରମରେ ରାହାଣେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ସପ୍ତମ ଓ୍ଵିକେଟ୍ରେ ୧୦୯ ରନ ଯୋଡ଼ି ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ।
ଶତକ ଆଡକୁ ଅଗ୍ରସର ରାହାଣେ ଆଉଟ୍ ହେବା ଦଳକୁ ଶକ୍ତ ଝଟକା ଦେଇଥିଲା। ସେ ୧୨୯ ବଲ୍ରୁ ୧୧ ଚୌକା ଏବଂ ୧ ଛକା ସହ ୮୯ ରନ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ଉମେଶ ଯାଦବ(୫) ପାଭିଲିୟନ ଫେରିଥିଲେ। ଶାର୍ଦ୍ଦୁଳ ଠାକୁର ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ କରିବା ପରେ ଆଉଟ୍ ହୋଇଥିଲେ। ସେ ୧୦୯ ବଲ୍ରୁ ୬ ଚୌକା ଜରିଆରେ ୫୧ ରନ କରିଥିଲେ। ଶାମି(୧୩) ଆଉଟ୍ ହେବା ସହ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପାଟ୍ କମିନ୍ସ ୮୩ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ଏଥିସହ ମିଚେଲ୍ ଷ୍ଟାର୍କ, ବୋଲାଣ୍ଡ ଏବଂ କ୍ୟାମେରୁନ ଗ୍ରୀନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।