ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍, ୧୩୨ ରନରେ ଆଗୁଆ ଭାରତ, ସିରାଜଙ୍କୁ ୪ ଓ୍ଵିକେଟ୍

Published By : Prameya-News7 Bureau | July 03, 2022 IST

ବର୍ମିଂହାମ: ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍  ହୋଇଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଇଂଲଣ୍ଡ ପକ୍ଷରୁ  ଜୋନି ବେୟାରଷ୍ଟୋ ୧୦୬ ରନ କରିଥିଲେ। ସାମ ବିଲିଙ୍ଗ୍ସ ୩୬ ରନ କରିଥିବା ବେଳେ ଜୋ ରୁଟ୍ ୩୧ ରନ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ ସଫଳତା ପାଇଥିବା ବେଳେ ଯଶପ୍ରୀତ ବୁମରା ୩ଟି ଓ୍ଵିକେଟ୍ ନେଇଛନ୍ତି। ଭାରତ  ପ୍ରଥମ ଇନିଂସରେ ୪୧୬ ରନ କରିଥିଲା। ମ୍ୟାଚ୍ ଆହୁରି ଅଢେଇ ଦିନ ବାକି ଥିବା ବେଳେ ଯଦି ବର୍ଷା ନହୁଏ ତେବେ ପରିଣାମ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି।

ରବିବାର ଇଂଲଣ୍ଡ ଦ୍ଵିତୀୟ ଦିନର ଖେଳ ୮୪/୫ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଜୋନି ବେୟାରଷ୍ଟୋ ୧୨ ଏବଂ ଅଧିନାୟକ ବେନ ଷ୍ଟୋକ୍ସ ୦ ରନର କରି  ଅପରାଜିତ ଥିଲେ। ପ୍ରଥମ ସେସନରେ ଦ୍ରୁତ ବ୍ୟାଟିଂ କରିଥିଲେ ବେୟାରଷ୍ଟୋ। ସେ ଅଧିନାୟକ ବେନ ଷ୍ଟୋନଙ୍କ ସହ ମିଶି ଷଷ୍ଠ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡିଥିଲେ। ବେନ ଷ୍ଟୋକ୍ସ ୨୫ ରନ କରି ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ବେୟାରଷ୍ଟୋ ନ୍ୟୁଜିଲାଣ୍ଡ ସିରିଜର ଫର୍ମକୁ ଜାରି ରଖି ୧୧ତମ ଟେଷ୍ଟ ଶତକ ପୂରଣ କରିଥିଲେ। ଶାମି ବେୟାରଷ୍ଟୋଙ୍କୁ ଆଉଟ୍ କରି ଭାରତକୁ ସପ୍ତମ ସଫଳତା ଦେଇଥିଲେ। ସେ ୧୪୦ ବଲରୁ ୧୪ ଚୌକା ଏବଂ ୨ ଛକା ସହ ୧୦୬ ରନ କରିଥିଲେ। ଶେଷ ଆଡକୁ ସାମ ବିଲିଙ୍ଗ୍ସ  ୩୬ ରନ କରିଥିଲେ। ମାଟି ପୋଟ୍ସ ୧୯ ଏବଂ ବ୍ରୋଡ ୧ ରନ କରି ଆଉଟ୍ ହୋଇଥିଲେ। ତିନି ଜଣଙ୍କୁ ମହମ୍ମଦ ସିରାଜ ପାଭିଲିୟନ ପଠାଇଥିଲେ। ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୬୬ ରନ ଦେଇ ୪ ସଫଳତା ପାଇଥିବା ବେଳେ ଯଶପ୍ରୀତ ବୁମରା ୬୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ୨ ଏବଂ ଶାର୍ଦ୍ଦୁଳ ଠାକୁର ୧ଟି ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.