ବ୍ୟାଟସମ୍ୟାନଙ୍କ ପରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ, ୮୪ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ଇଂଲଣ୍ଡ

Published By : Prameya-News7 Bureau | July 02, 2022 IST

ବର୍ମିଂଘମ: ପନ୍ତ ଏବଂ ଜାଡେଜାଙ୍କ ଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏଜବାଷ୍ଟନରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି। ଭାରତ ପ୍ରଥମ ଇନିଂସରେ ୪୧୬ ରନରେ ଅଲଆଉଟ୍ ହୋଇଛି। ଜବାବରେ ଘରୋଇ ଇଂଲଣ୍ଡ ବର୍ଷା ବାଧାପ୍ରାପ୍ତ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୮୪ ରନ କରିଛି। ଜୋନି ବେୟାରଷ୍ଟୋ ୧୨ ଏବଂ ଅଧିନାୟକ ବେନ ଷ୍ଟୋକ୍ସ ୦ ରନର କରି  ଅପରାଜିତ ଅଛନ୍ତି। ଦଳ ଏବେ ବି ଭାରତଠୁ ୩୩୨ ରନ ପଛରେ ରହିଛି। ଯଦି ତୃତୀୟ ଦିନ ସଂପୂର୍ଣ୍ଣ ଖେଳ ହୁଏ ତେବେ ମ୍ୟାଚ୍ ରୋମାଞ୍ଚକର ହେବ।

ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ଚାପରେ ରହିଛି। ୧୬ ରନ ସ୍କୋରରେ ଆଲେକ୍ସ ଲିସ(୬)ଙ୍କୁ ବୋଲ୍ଡ କରି ବୁମରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜ୍ୟାକ କ୍ରାଉଲି(୯)ଙ୍କୁ ସ୍ଲିପରେ କ୍ୟାଚ୍ କରାଇ ଇଂଲଣ୍ଡକୁ ଦ୍ଵିତୀୟ ଝଟକା ଦେଇଛନ୍ତି ବୁମରା। ଓଲି ପୋପ(୧୦) ମଧ୍ୟ ବୁମରାଙ୍କ ଶିକାର ହୋଇଥିଲେ। ଇଂଲଣ୍ଡକୁ ସବୁଠୁ ବଡ ଝଟକା ଜୋ ରୁଟ୍‌ଙ୍କ ରୂପେ ଲାଗିଥିଲା। କ୍ରିଜରେ ଜମି ଆସିଥିବା ରୁଟ୍ ୩୧ ରନ କରି ସିରାଙ୍କ ବଲରେ ଆଉଟ୍ ହୋଇଛନ୍ତି। ଦିନର ଶେଷ ଆଡକୁ ଜ୍ୟାକ ଲିଚ୍ ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଛନ୍ତି। ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୮୪ ରନରେ ଅଧା ଓ୍ଵିକେଟ୍ ହରାଇ ସାରିଛି। ଜୋନି ବେୟାରଷ୍ଟୋ ୧୨ ଏବଂ ଅଧିନାୟକ ବେନ ଷ୍ଟୋକ୍ସ ୦ ରନର କରି  ଅପରାଜିତ ଅଛନ୍ତି।

ଭାରତ ପକ୍ଷରୁ ୩୫ ରନରେ ୩ ଓ୍ଵିକେଟ୍, ମହମ୍ମଦ ଶାମି ୩୩ ରନ ଦେଇ ୧ ଏବଂ ମହମ୍ମଦ ସିରାଜ ୫ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି। ଭାରତ ଋଷଭ ପନ୍ତଙ୍କ ୧୪୬ ରନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ ବଳରେ ପ୍ରଥମ ଇନିଂସରେ ୪୧୬ ରନ କରିଥିଲା। ପ୍ରଥମ ଦିନର ଅସମାପ୍ତ ଖେଳ ୩୩୮/୭ରୁ ଭାରତ ଦ୍ଵିତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। ୮୩ ରନରେ ଅପରାଜିତ ଥିବା ଜାଡେଜା ଟେଷ୍ଟ କ୍ୟାରିୟରରେ ନିଜର ତୃତୀୟ ଶତକ ପୂରଣ କରିଥିଲେ। ସେ ୧୩ ଚୌକା ଜରିଆରେ ୧୦୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ମହମ୍ମଦ ଶାମି ୧୬ ରନ କରିଥିଲେ। ଶେଷ ଆଡକୁ ଯଶପ୍ରୀତ ବୁମରା ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ମାତ୍ର ୧୬ ବଲରୁ ୪ ଚୌକା ଏବଂ ୨ ଛକା ସହ ୩୧ ରନରେ ଅପରାଜିତ ଥିଲେ। ଭାରତ ୪୧୬ ରନରେ ଅଲଆଉଟ୍ ହୋଇଛି। ଷ୍ଟୁଆର୍ଟ ବ୍ରଡ ଗୋଟିଏ ଓଭରରେ ୩୫ ରନ ବ୍ୟୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.