ଦ୍ଵିତୀୟ ଦିନରେ ଦଳର ସମ୍ମାନ ରଖିଲେ ଅକ୍ଷର ପଟେଲ୍, ଭାରତଠୁ ୬୨ ରନରେ ଆଗୁଆ ଅଷ୍ଟ୍ରେଲିଆ
18/02/2023 at 5:22 PM

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚ୍ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ଦ୍ଵିତୀୟ ଦିନରେ ଭାରତ ତୁଳନାରେ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛି। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ରୁତ ବ୍ୟାଟିଂ କରି ଏକ ଓ୍ଵିକେଟ୍ ହରାଇ ୬୧ ରନ କରିଛି। କ୍ରିଜରେ ଟ୍ରେଭିସ୍ ହେଡ୍ ୩୯ ଏବଂ ମାର୍ନସ ଲାବୁସେନ ୧୬ ଅପରାଜିତ ଅଛନ୍ତି। ଭ୍ରମଣକାରୀ ଦଳ ଭାରତଠୁ ୬୨ ରନର ଅଗ୍ରଣୀ ହାସଲ କରିବା ସହ ହାତରେ ରହିଛି ୯ ଓ୍ଵିକେଟ୍। ଖେଳ ଆଉ ତିନି ଦିନ ବାକି ଥିବାରୁ ଦ୍ଵିତୀୟ ଟେଷ୍ଟରେ ଫଳାଫଳ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ଭାରତ ତୃତୀୟ ସେସନରେ ୨୬୨ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅକ୍ଷର ପଟେଲ୍ ସର୍ବାଧିକ ୭୩ ରନର ପାଳି ଖେଳିଥିବା ବେଳେ ଅଶ୍ଵିନ ୩୭ ଏବଂ ବିରାଟ କୋହଲି ୪୪ ରନ କରିଥିଲେ। ଯଦି ତୃତୀୟ ଦିନରେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଶୀଘ୍ର ଆଉଟ୍ ନକରନ୍ତି ତେବେ ଭାରତ ପାଇଁ ବଡ ମୁସ୍କିଲ ସ୍ଥିତି ଉପୁଜିପାରେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ କରିଥିଲା।
ଦ୍ଵିତୀୟ ଇନିଂସ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଛି। ଦଳ ୨୩ ରନରେ ଉସ୍ମାନ ଖ୍ଵାଜା(୬)ଙ୍କ ଓ୍ଵିକେଟ୍ ହରାଇଥିଲେ ହେଁ ଟ୍ରେଭିସ୍ ହେଡ୍ ଦିନିକିଆ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ସେ ୪୦ ବଲ୍ରୁ ୫ ଚୌକା ଏବଂ ଏକ ଛକା ସହ ୩୯ ରନ ଏବଂ ମାର୍ନସ ଲାବୁସେନ ୧୬ ରନ କରି ଅପରାଜିତ ଅଛନ୍ତି।
ଏହା ପୂର୍ବରୁ ପ୍ରଥମ ଦିନର ଅସମାପ୍ତ ଖେଳ ୨୧/୦ରୁ ବ୍ୟାଟିଂ ଆରମ୍ଭ କରିଥିଲା ଭାରତୀୟ ଦଳ। କ୍ରିଜରେ ଥିଲେ ରୋହିତ ଶର୍ମା ଏବଂ କେଏଲ ରାହୁଲ। ତେବେ ଆଜି ସ୍କୋରରେ ୨୫ ରନ ଯୋଡିବା ପରେ ପ୍ରଥମ ବ୍ୟାଟର ଭାବେ ଲୋକେଶ ରାହୁଲ(୧୭) ଆଉଟ୍ ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ରୋହିତ ଶର୍ମା ୩୨ ରନ କରି ପାଭିଲିୟନ ଫେରିଥିଲେ। ଚେତେଶ୍ଵର ପୂଜାରା ଖାତା ବି ଖୋଲି ପାରିନଥିଲେ। ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା ଶ୍ରେୟସ ଆୟର(୪) ବି କିଛି ଖାସ୍ କରିପାରିନଥିଲେ। ୬୬ ରନରେ ୪ ଓ୍ଵିକେଟ୍ ହରାଇବା ପରେ ଭାରତ ପାଇଁ ପଞ୍ଚମ ଓ୍ଵିକେଟ୍ରେ ରବୀନ୍ଦ୍ର ଜାଡେଜା ଏବଂ ବିରାଟ କୋହଲି ୫୯ ରନ ଯୋଡିଥିଲେ। ତେବେ କ୍ରିଜରେ ଜମି ଆସୁଥିବା ରବୀନ୍ଦ୍ର ଜାଡେଜା ୨୬ ରନ କରି ପାଭିଲିୟନ ଫେରିଥିଲେ।

ତେବେ ଫର୍ମରେ ନଜର ଆସୁଥିବା ତାରକା ବ୍ୟାଟର ବିରାଟ କୋହଲି ବିବାଦୀୟ ଭାବେ ଆଉଟ୍ ହେବା ଭାରତୀୟ ଦଳକୁ ଶକ୍ତ ଧକ୍କା ଲାଗିଥିଲା। କୋହଲି ୮୪ ବଲ୍ରୁ ୪ ଚୌକା ସହ ୪୪ ରନ କରି ପାଭିଲିୟନ ଫେରିଥିଲେ। ୧୩୯ ରନରେ ୭ ଓ୍ଵିକେଟ୍ ହରାଇ ସଙ୍କଟଜନକ ସ୍ଥିତିରେ ପଡିଥିଲା ଭାରତ। ତେବେ ଅକ୍ଷର ପଟେଲ୍ ଏବଂ ରବିଚନ୍ଦ୍ରନ ଅଶ୍ଵିନ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ସାହସିକ ଇନିଂସ ଖେଳି ଅଷ୍ଟମ ଓ୍ଵିକେଟ୍ରେ ୧୧୪ ରନ ଯୋଡିଥିଲେ। ଏହା ମଧ୍ୟରେ ଅକ୍ଷର ପଟେଲ୍ ଅର୍ଦ୍ଧଶତକ ହାସଲ କରିଥିଲେ। ୨୫୩ତମ ସ୍କୋରରେ ଅଶ୍ଵିନ ବ୍ୟକ୍ତିଗତ ୩୭ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ। ତାଙ୍କ ପରେ ଅକ୍ଷର ପଟେଲଙ୍କ ଇନିଂସର ଅନ୍ତ ଘଟିଥିଲା। ସେ ୧୧୫ ବଲ୍ରୁ ୯ ଚୌକା ଏବଂ ୩ ଛକା ସହାୟତାରେ ସର୍ବାଧିକ ୭୪ ରନ କରିଥିଲେ। ଶାମି ୧ ରନ କରି ଆଉଟ୍ ହେବା ସହ ଭାରତର ପ୍ରଥମ ଇନିଂସ ୨୬୨ ରନରେ ଅଲଆଉଟ୍ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିୟନ ୫୩ ରନ ଦେଇ ସର୍ବାଧିକ ୫ ସଫଳତା ହାସଲ କରିଥିଲେ। ଟି ମରଫି ଏବଂ ଏମ କୁହେନମ୍ୟାନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ପାଟ୍ କମିନ୍ସଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।