ଆଇପିଏଲ ୨୦୨୧ରୁ ଓହରିଲେ ଜୋନି ବେୟାରଷ୍ଟୋ ଓ ଡେଭିଡ୍ ମଲାନ, ଦୁଇ ଫ୍ରାଞ୍ଚାଇଜିକୁ ଝଟକା

Published By : Prameya-News7 Bureau | September 11, 2021 IST

ନୂଆଦିଲ୍ଲୀ ୧୧।୦୯:  ଇଂଲଣ୍ଡର ଦୁଇ ବଡ ଖେଳାଳି ଜୋନି ବେୟାରଷ୍ଟୋ ଏବଂ ଡେଭିଡ୍ ମଲାନ ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟରୁ ଓହରି ଯାଇଛନ୍ତି। ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ। ଦୁଇ ଖେଳାଳିଙ୍କ ଏହି ନିଷ୍ପତ୍ତିରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସକୁ ଝଟକା  ଲାଗିଛି। ବେୟାରଷ୍ଟୋ ହାଇଦ୍ରାବାଦ ତରଫରୁ ଓପନିଂ ବ୍ୟାଟସମ୍ୟାନ ହୋଇଥିବା ବେଳେ  ମଲାନ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଗୋଟିଏ ଆଇପିଏଲ ମ୍ୟାଚ୍ ଖେଳିଛନ୍ତି। ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳା ଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା କାରଣରୁ ଇଂଲଣ୍ଡ ଖେଳାଳି ଭାରତୀୟ ଖେଳାଳିଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଭାରତର ସହାୟକ ଫିଜିଓ ଯୋଗେଶ ପରମାର ପଞ୍ଚମ ଟେଷ୍ଟ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ଭାରତୀୟ ଖେଳାଳି ମାଞ୍ଚେଷ୍ଟର ଟେଷ୍ଟ ଖେଳିବାକୁ ମନା କରି ଦେଇଥିଲେ। କିନ୍ତୁ ଭାରତୀୟ ଖେଳାଳିଙ୍କ ଆରଟି ପିସିଆର ରିପୋର୍ଟ ନେଗେଟିଭ୍ ଆସିଥିଲା।

ଏହା ବ୍ୟତୀତ ଜୋସ ବଟଲର, ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ ମଧ୍ୟ ଆଇପିଏଲ ୨୦୨୧ ଖେଳୁ ନାହାନ୍ତି। ଏଥିରେ ରାଜସ୍ଥାନ ରୟାଲ୍ସର ପ୍ରସ୍ତୁତିରେ ଜୋରଦାର ଝଟକା ଲାଗିଛି। ଜୋସ୍ ବଟଲର ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ବେନ ଷ୍ଟୋକ୍ସ ମାନସିକ ସ୍ଵାସ୍ଥ୍ୟ କାରଣରୁ ଅନେକ ଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ସେପଟେ ଜୋଫ୍ରା ଆର୍ଚର ଆହତଜନିତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.