ଅମାନୁଷିକ ! ବାପା ମା'ଙ୍କୁ ହତ୍ୟା କରି ୨ଟି ସୁଟକେଶରେ ଭର୍ତ୍ତି କରି ନାଳରେ ଫୋପାଡ଼ି ଦେଲା ଝିଅ

Published By : Prameya-News7 Bureau | March 13, 2019 IST

ଦିଲ୍ଲୀ ୧୩/୩ : ଦିଲ୍ଲୀରେ ଜଣେ ବୟସ୍କ ଦମ୍ପତ୍ତି ଅଚାନକ ଗାୟବ ହୋଇଗଲେ | ଦମ୍ପତ୍ତିଙ୍କ ଏକମାତ୍ର ଝିଅ ବାପା ମା'ଙ୍କୁ ଅନେକ ଜାଗାରେ ଖୋଜାଖୋଜି କରି ମଧ୍ୟ ବିଫଳ ହେଲେ | ଶେଷରେ ଯୁବତୀ ବାପା ମା' ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ | ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ତଥାପି ଦମ୍ପତ୍ତିଙ୍କ କୌଣସି ପତା ମିଳିନଥିଲା| କିଛି ଦିନ ପରେ ଏକ ନାଳରେ ଏକ ସୁଟକେଶ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ସୁଟକେଶ ଜବତ କରି ଯେତେବେଳେ ଖୋଲିଥିଲା ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲା | ସୁଟକେଶରେ ନିଖୋଜ ଥିବା ମହିଳାଙ୍କ ଶବ ମିଳିଥିଲା | ଏହାପରେ ଆଉ ଏକ ନାଳରୁ ଆଉ ଗୋଟିଏ ସୁଟକେଶ ମିଳିଥିଲା | ଏଥିରେ ମହିଳାଙ୍କ ସ୍ୱାମୀ ଅର୍ଥାତ ଯୁବତୀଙ୍କ ବାପାଙ୍କ ଶବ ଥିଲା |


ଯୁବତୀ ବିଜେ ବାପା ମା'ଙ୍କ ହତ୍ୟା କରି ପୋଲିସରେ ଏତଲା ଦେଇ ବାପା ମା'ଙ୍କୁ ଖୋଜୁଥିଲା | ବହୁ ତଦନ୍ତ ପରେ ପୋଲିସ ସତ ଖୋଜି ବାହାର କରିଥିଲା | ଯୁବତୀ ପ୍ରଥମେ ନିଜ ବାପା ମା'ଙ୍କୁ ହତ୍ୟା କରିଥିଲା | ଏହାପରେ ଉଭୟ ହାତ ଗୋଡ ଭାଙ୍ଗି ସୁଟକେଶରେ ଭର୍ତ୍ତି କରି ନାଳରେ ଫୋପାଡ଼ି ଦେଇଥିଲା | ଏହାପରେ ନିଜ ପ୍ରେମିକ ସହ ମିଶି ତାଙ୍କୁ ଖୋଜିବାର ନାଟକ କରିଥିଲା |


ଯୁବତୀକୁ ପଚାରିବାରୁ ସେ କହିଥିଲା ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏଭଳି କରିଛି | ତେବେ ଯୁବତୀଙ୍କ ବ୍ୟକ୍ତିଗତ ସମସ୍ୟା କ'ଣ ଜାଣନ୍ତୁ |ଯୁବତୀ ବିବାହିତା ଥିଲେ କିନ୍ତୁ ତାଙ୍କର ପୂର୍ବରୁ ପ୍ରେମିକ ଥିବା ଯୋଗୁଁ ସ୍ୱାମୀ ସହିତ ଭଲ ସମ୍ପର୍କ ନଥିଲା | ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ଝଗଡା ହେଉଥିଲା | ପରେ ସେ ଶ୍ୱଶୁରଘର ଛାଡି ବାପା ଘରକୁ ଚାଲି ଆସିଥିଲା | ଏହାପରେ ବାପା ମା'ଙ୍କ ଘର ଓ ସମ୍ପତ୍ତି ଉପରେ ଲୋଭ କରିଥିଲା | ଏଖିପାଇଁ ଶେଷରେ ବାପା ମା'ଙ୍କୁ ହତ୍ୟା କରିଥିଲା |

{"id":93165}


ଦିଲ୍ଲୀର ନାଙ୍ଗଲୋଈ ଅଂଚଳରେ ମାର୍ଚ୍ଚ ୮ ତାରିଖରେ ନାଳରେ ଏକ ବଡ ସୁଟକେଶ ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ | ନାଳରେ ଏତେ ବଡ ସୁଟକେଶ ଭାସୁଥିବାର ଦେଖି ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ସଫେଇ କର୍ମଚାରୀଙ୍କ ସହାୟତାରେ ସୁଟକେଶକୁ ନାଳରୁ ବାହାରକୁ କଢ଼ାଇଥିଲା | ସୁଟକେଶ ଖୋଲି ଦେଖିଲାବେଳକୁ ସୁଟକେଶରେ ମହିଳାଙ୍କ ଶବ ଥିଲା | ଶବର ହାତ ଗୋଡ ଭାଙ୍ଗି ସୁଟକେଶରେ ଭର୍ତ୍ତି କରାଯାଇଥିଲା | ଶବର ଅବସ୍ଥା ଦେଖି ସଫାସଫା ଜଣାପଡୁଥିଲା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି | ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା | କିଛି ଘଣ୍ଟା ପରେ ପୋଲିସ ଜାଣିବାକୁ ପାଇଥିଲା ଶବ ନିଖୋଜ ଥିବା ମହିଳାଙ୍କର | ମାର୍ଚ୍ଚ ୪ ତାରିଖରେ ମହିଳାଙ୍କ ଝିଅ ସୋନିଆ ମା' ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ |


ମହିଳାଙ୍କ ନାଁ ଜାଗୀର କୌର | ସୋନିଆ ମା'ଙ୍କ ସହ ବାପା ଗୁରମୀତ ସିଂ ମଧ୍ୟ ନିଖୋଜ ଥିବା ଏତଲା ଦେଇଥିଲା | ମହିଳାଙ୍କ ଶବ ଚିହ୍ନଟ ପରେ ପୋଲିସ ସନ୍ଦେହ କରିଥିଲା ଯେ, ହତ୍ୟାକାରୀ ଗୁରମୀତ ସିଂଙ୍କୁ ମଧ୍ୟ ହତ୍ୟା କରିଥାଇପାରେ | ପୋଲିସ ଆହୁରି ସନ୍ଦେହ କରିଥିଲା ଯେ, ଗୁରମୀତ ସିଂ ନିଜେ ସ୍ତ୍ରୀକୁ ହତ୍ୟା କରି ଫେରେର ହୋଇଯାଇ ଥାଇପାରେ |
ଏହାପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା | ପୋଲିସର ପ୍ରଥମ ସନ୍ଦେହ ଠିକ ବାହାରିଲା | କିଛି ଘଣ୍ଟା ପରେ ସେହି ନାଳରୁ ପୋଲିସକୁ ଆଉ ଏକ ସୁଟକେଶ ମିଳିଥିଲା | ଏହି ସୁଟକେଶରେ ଗୁରମୀତ ସିଂଙ୍କ ଶବ ଥିଲା |

{"id":93168}


ପୋଲିସ ପାଇଁ ବଡ ପ୍ରଶ୍ନ ଥିଲା ଉଭୟ ବୟସ୍କଙ୍କୁ କିଏ ହତ୍ୟା କରିଥାଇପାରେ | ହତ୍ୟା ନେଇ ପୋଲିସ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା | ପୋଲିସ ସୋନିଆକୁ ପଚରାଉଚୁରା କରିଥିଲା | ସୋନିଆ ମାର୍ଚ୍ଚ ୪ ତାରିଖରେ ବାପା ମା ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲା | କିନ୍ତୁ ପଡୋଶୀ କହିଥିଲେ ସେମାନେ ୪ ତାରିଖ ପୂର୍ବରୁ ଘରେ ଦିଶୁନଥିଲେ | ଏଭଳି ସ୍ଥିତିରେ ପୋଲିସର ସନ୍ଦେହ ସୋନିଆ ଆଡକୁ ଯାଇଥିଲା |


ପୋଲିସ ସୋନିଆକୁ ପଚାରିଥିଲେ ଯେ, ସେ ବାପା ମା ନିଖୋଜ ଥିବା ରିପୋର୍ଟ ଏତେ ବିଳମ୍ବରେ କାହିଁକି ଦେଇଥିଲେ | କିନ୍ତୁ ଏହାର କୌଣସି ଜବାବ ସୋନିଆ ପାଖରେ ନଥିଲା | ସମ୍ପର୍କୀୟଙ୍କୁ ପଚାରିବାରୁ ଜଣାପଡିଥିଲା ଯେ, ପାଖାପାଖି ଫେବୃଆରୀ ୨୨ ତାରିଖରୁ ସେମାନେ ଦମ୍ପତ୍ତିଙ୍କୁ କୌଣସି ସମ୍ପର୍କ କରିପାରି ନାହାନ୍ତି | ଏହାପରେ ସୋନିଆ ଉପରେ ପୋଲିସର ସନ୍ଦେହ ଦୃଢ ହୋଇଥିଲା | ପୋଲିସର ଜବାବ ସୋନିଆ ବହୁତ ଡରି ଡରି ଦେଇଥିଲା | ସୋନିଆଙ୍କ ଉପସ୍ଥିତି ତାଙ୍କ ମୋବାଇଲ ଫୋନ ଲୋକେସନ ସହ ମ୍ୟାଚ କରୁନଥିଲା | ଯେଉଁଥିରୁ ପୋଲିସ ସ୍ପଷ୍ଟ ହୋଇଯାଇଥିଲା ଯେ, ସୋନିଆ ମିଛ କହୁଛି | ପୋଲିସ ଆଉ ଏକ ସତ ଜାଣିବାକୁ ପାଇଥିଲା | ସୋନିଆର ପ୍ରେମିକ ଫେବୃଆରୀ ୨୧ ତାରିଖ ଏବଂ ମାର୍ଚ୍ଚ ୨ ତାରିଖରେ ସୋନିଆ ଘରକୁ ଆସିଥିଲା | ଫେବୃଆରୀ ୨୧ ତାରିଖ ପରଠୁ ଗୁରମୀତ ସିଂ ନିଖୋଜ ଥିଲେ | କିନ୍ତୁ ସେତେବେଳେ ଜାଗୀର ପଞ୍ଜାବ ଥିଲେ | ସେ ମାର୍ଚ୍ଚ ୧ ତାରିଖରେ ଦିଲ୍ଲୀ ଫେରିଥିଲେ ଏବଂ ୨ ତାରିଖରୁ ନିଖୋଜ ଥିଲେ |

{"id":93162,"width":574,"height":320}


ପୋଲିସର ଶକ୍ତ ଭାବେ ପଚାରିବାରୁ ସୋନିଆ କହିଥିଲା ସେ ନିଜ ପ୍ରେମିକ ଏବଂ ସାଥିଙ୍କ ସହ ମିଶି ବାପା ମାଙ୍କୁ ହତ୍ୟା କରିଛି | ସତ ସମସ୍ତଙ୍କୁ ଦୋହଲାଇ ଦେଇଥିଲା | ଜଣେ ଝିଅ ନିଜ ବାପା ମା'ଙ୍କୁ କିଭଳି ହତ୍ୟା କରିପାରେ ! ମା ପଞ୍ଜାବ ଯିବା ପରେ ସୋନିଆ ବାପାଙ୍କ ଚା'ରେ ନିଶା ଔଷଧ ମିଶାଇ ଦେଇଥିଲା | ଚା' ପିଉ ପିଉ ସେ ବେହୋସ ହୋଇଯାଇଥିଲେ | ସେତେବେଳେ ସୋନିଆର ପ୍ରେମିକ ନିଜ ୨ ସାଥିଙ୍କ ସହ ଘରକୁ ଆସି ଗୁରମୀତଙ୍କ ତଂଟି ଚିପି ହତ୍ୟା କରିଥିଲା | ଏହାପରେ ଶବକୁ ଏକ ସୁଟକେଶରେ ଭର୍ତ୍ତି କରି ନାଳରେ ଫୋପାଡ଼ି ଦେଇଥିଲା |


ଘଟଣାକୁ ପାଖାପାଖି ୭ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟା ସମ୍ପର୍କରେ କେହି ଜାଣିବାକୁ ପାଇନଥିଲେ | ମାର୍ଚ୍ଚ ୧ ତାରିଖରେ ଜାଗୀର ପଞ୍ଜାବରୁ ଦିଲ୍ଲୀ ଫେରିବା ପରେ ଠିକ ସେହିଭଳି ଉପାୟରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା | ଏହାପରେ ମା'ଙ୍କ ଶବକୁ ମଧ୍ୟ ସୁଟକେଶରେ ଭର୍ତ୍ତି କରି ନାଳରେ ଫୋପାଡ଼ି ଦେଇଥିଲା |


ସୋନିଆ କହିଥିଲା ଯେ, ବାପା ମା ତାର ଖର୍ଚ୍ଚ ବହନ କରୁନଥିଲେ | ସେଥିପାଇଁ ସେ ତାଙ୍କୁ ହତ୍ୟା କରିଥିଲା | ପୋଲିସ କହିବାନୁଯାୟୀ ସୋନିଆର ନଜର ବାପା ମା'ଙ୍କ ସମ୍ପତ୍ତି ଉପରେ ଥିଲା | ସମ୍ପତ୍ତି ଲୋଭରେ ସେ ଅନ୍ଧ ହୋଇ ବାପା ମା'ଙ୍କ ହତ୍ୟା କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.