ଯୌତୁକ ଜୁଇରେ ଗର୍ଭବତୀ: ୩ ମାସ ପୁରିଲାନି ବାହାଘର, ବୋହୂର ତଣ୍ଟି ଚିପି ମାରିଦେଲେ ଶାଶୂ-ଶ୍ୱଶୁର
24/08/2022 at 5:02 PM

ଭଦ୍ରକ, ୨୪/୦୮: ବାହାଘରକୁ ୩ ମାସ ହୋଇନାହିଁ, କିନ୍ତୁ ଦୁଇ ମାସର ଗର୍ଭବତୀ ବୋହୁର ତଣ୍ଟି ଚିପି ଶାଶୁ-ଶ୍ୱଶୁର ମାରିଦେଇଥିବା ଅଭିଯୋଗ । ଯୌତୁକ ଜୁଇରେ ଜଳିଲେ ଗର୍ଭବତୀ ନବବଧୂ । ଅଧିକ ଯୌତୁକ ଦାବି କରି ଗର୍ଭବତୀ ନବବଧୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗରେ ଉଭୟ ଶାଶୂ ଏବଂ ଶ୍ୱଶୁରଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।
ମୃତ ମହିଳା ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଗ୍ରାମର ପ୍ରିୟଙ୍କା ଦଳାଇ । ଅଭିଯୋଗ ଅନୁଯାୟୀ, ଯାଜପୁର କୁଆଖିଆ ବରଜଙ୍ଗା ଅଞ୍ଚଳର ଲକ୍ଷ୍ମୀଧର ଦଳାଇଙ୍କ ଝିଅ ପ୍ରିୟଙ୍କାଙ୍କର ଗତ ଜୁନ ମାସ ୭ ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ନଳାଙ୍ଗ ଗ୍ରାମର ଆନନ୍ଦ ଚନ୍ଦ୍ର ନାୟକଙ୍କ ପୁଅ ଅସୀମ ସଙ୍କେତ ନାୟକଙ୍କ ସହ ବାହାଘର ହୋଇଥିଲା । ବାହାଘର ସମୟରେ ୧ ଲକ୍ଷ ଟଙ୍କା ସହ ସୁନା ଗହଣା ଓ ଆସବାବପତ୍ର ଦେଇଥିବା ବାପାଘର ଲୋକ କହିଛନ୍ତି । ଏସବୁ ଯୌତୁକ ବାବଦରେ ଦେବା ସତ୍ତ୍ୱେ ଶ୍ୱଶୁର ଘର ଲୋକ ୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ବାରମ୍ବାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତକାଲି ପ୍ରିୟଙ୍କାଙ୍କ ସ୍ୱାମୀ ଘରେ ନଥିବା ସମୟରେ ଶ୍ୱଶୁର ବୋହୁକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କାଙ୍କ ମାଆ ।
ଅଧିକ ଯୌତୁକ ପାଇଁ ମୋ ଝିଅକୁ ଶ୍ୱଶୁର ଘର ଲୋକ ମାରିଦେଇଛନ୍ତି । ମୋତେ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ମାଆ । ଏନେଇ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ବୋହୁକୁ ହତ୍ୟା କରିଥିବା ନେଇ ପୋଲିସ ସମ୍ମୁଖରେ ସତ ମାନିଛନ୍ତି ଶାଶୂ ଓ ଶ୍ୱଶୁର । ମୃତ୍ୟୁ ବେଳକୁ ବୋହୂ ଦୁଇ ମାସର ଗର୍ଭବତୀ ଥିବା ସୂଚନା ମିଳିଛି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଥିବା ବେଳେ ଏହି ଘଟଣାରେ ଶ୍ୱଶୁର ଓ ଶାଶୂଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି । ଯୌତୁକ ପାଇଁ ନବବଧୂଙ୍କୁ ଶାଶୁ-ଶ୍ୱଶୁର ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।