ବନ୍ଧା ହେଲା ହତ୍ୟାକାରୀ ବୋହୂ, ଶାଶୂକୁ ମାରି ଗୋଟିଏ ଘରେ ଥିଲା

Published By : Prameya-News7 Bureau | December 09, 2023 IST

ବାରଙ୍ଗ ୦୯/୧୨: ବାରଙ୍ଗ ମଧୁପୁର ଗାଁରେ ଘରୁ ବୁଦ୍ଧା ସୁଚିତ୍ରା ସାହୁଙ୍କ ମୃତଦେହ ମିଳିବା ଘଟଣାର ପୋଲିସ୍ କରିଛି ଖୁଲସା । ଗତ ୫ ତାରିଖ ଦିନ ରାତିରେ ପରିବାର ଲୋକଙ୍କ ସହ ମିଶି ଖାଇବା ପରେ ଶାଶୁ ବୋହୂ ଗୋଟିଏ ରୁମ୍ ରେ ଶୋଇଥିଲେ । ପରଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶାଶୁ ସୁଚିତ୍ରା ସାହୁଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ସ୍ବାମୀ ଓ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିବା ପରେ ସାଇଣ୍ଟିଫିକ୍ ଟିମ୍ ଓ ବାରଙ୍ଗ ଥାନା ପୁଲିସ ତଦନ୍ତ ଆରମ୍ଭ କରି ବୋହୂ ସରସ୍ଵତୀ ସାହୁ ଏବଂ ପରିବାର ଲୋକଙ୍କୁ ଥାନାରେ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ବୋହୂ ସରସ୍ଵତୀ ଶାଶୁ ସୁଚିତ୍ରାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ହତ୍ୟା କାହିଁକି ହୋଇଛି ସେନେଇ ପୋଲିସ୍ ପ୍ରେସ ମିଟ୍ କରିବା ପରେ ସୂଚନା ମିଳିଛି ।

ସୂଚନା ଥାଉକି, ଗତ କିଛିଦିନ ତଳେ ବାରଙ୍ଗ ଥାନା ପୋଲିସ ମଧୁପୁର ଗ୍ରାମର ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡ ମୃତଦେହକୁ ଶୋଇବା ଘର ଖଟ ଉପରୁ ଉଦ୍ଧାର କରିଥିଲା । ମୃତ ମହିଳା ହେଉଛନ୍ତି ଚର୍ତୁଭୂଜ ସାହୁ ଓରଫ୍‌ ଚତୁରାଙ୍କ ପତ୍ନୀ ସଚିତ୍ରା ସାହୁ । ମୃତ ମହିଳାଙ୍କ ପୁଅ ସରୋଜ ବାରଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ବୋଉକୁ କେହି ହତ୍ୟା କରିଛନ୍ତି ।

ଥାନା ଅଧିକାରୀ ଆକାଶଚନ୍ଦ୍ର ରଣା ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ଘର ଅଗଣାର ପଛ ପାଖ ଘର ଭିତରେ ଶୋଇବା ଘରେ ପଡିଥିବା ଖଟ ଉପରେ ରକ୍ତ ଜୁଡୁବୁଡ ଶବ ପଡିଥିବା ବେଳେ ମହିଳାଙ୍କ ମୁଣ୍ଡ ଅଗପାଖ ତାଳୁ ଉପର ଫାଟି ପ୍ରଚୁର ରକ୍ତସ୍ରାବ ହୋଇ ଖଟ ଉପରେ ପଡିଥିବା ବେଡସିଟ ଭିଜି ଗଦି ଭିଜି ଯାଇଥିବା ଦେଖିବାକୁ ମିଳିଥିଲା ।

ଘର ଭିତରେ ସଚିତ୍ରାଙ୍କ ଚୂଡି ସବୁ ଭାଙ୍ଗି ଚୁରମାର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଘର ଭିତର କବାଟ କିମ୍ବା ଝରକା କିଛି ବି ଖୋଲା ନଥିଲା। ଆଲମିରା କିମ୍ବା କୌଣସି ବାକ୍ସରୁ କିଛି ଚୋରି ହୋଇଥିବାର ପ୍ରମାଣ ବି ନଥିଲା । ପାରିପାର୍ଶ୍ୱିକ ସ୍ଥିତି ହତ୍ୟା ସନ୍ଦେହ ବଢାଉଥିବା ବେଳେ ପୋଲିସ ବୋହୂକୁ ଡାକି ପଚରାଉଚରା କରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇ ନଥିଲା ।

ମହିଳାଙ୍କ ସ୍ୱାମୀ ଚର୍ତୁଭୂଜଙ୍କ କହିବା ଅନୁଯାୟୀ ତାଙ୍କର କିମ୍ବା ତାଙ୍କ ସ୍ତ୍ରୀଙ୍କର ସାହି ପଡିଶା ଅଥବା ଅନ୍ୟ କାହା ସହିତ କଳହ କିମ୍ବା କୌଣସି ପ୍ରକାରର ମନମାଳିନ୍ୟ ନଥିଲା । ସବୁ ଦିନ ଭଳି ମଙ୍ଗଳବାର ରାତିରେ ସେ ରାସ୍ତା ପାଖକୁ ଲାଗି ଥିବା ଘର ଭିତରେ ଶୋଇଥିଲେ । ପୁଅ ଝିଅ ଘରକୁ ପୋଢୁଆଁ କରିବାକୁ ଯାଇ ଭଉଣୀ ଘରେ ରହିଯାଇଥିଲା ।

ସ୍ତ୍ରୀ ଘର ଅଗଣାକୁ ଲାଗି ପଛ ପାଖ ଘର ଭିତରେ ବୋହୂ ସହିତ ଶୋଇଥିଲେ । ସକାଳୁ ଉଠି ବୋହୂ ଏଭଳି ହତ୍ୟାକାଣ୍ଡ ସଂପର୍କରେ ସୂଚନା ଦେଇଥିଲେ। ପୁଅ ଭଉଣୀ ଘରୁ ଆସିବା ପରେ ବାରଙ୍ଗ ଥାନକୁ ଯାଇ ଅଭିଯୋଗ ଦେଇଥିଲେ । ବାରଙ୍ଗ ଥାନା ପୋଲିସ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.