କଟକ ୧୦/୦୭: ଅଷ୍ଟ୍ରେଲିଆର ଗ୍ରାହାମ୍ ଷ୍ଟେନସ୍ ଏବଂ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ହତ୍ୟା କରିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଜୀବନ କାରାଦଣ୍ଡରୁ ଛାଡ଼ ପାଇଁ କରିଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ହୃଷୀକେଶ ରାୟ ଏବଂ ଜଷ୍ଟିସ୍ ଏସ୍ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ରେ ହେବ । କେନ୍ଦୁଝର ଜିଲ୍ଲାର ମୋହନପୁର ଗ୍ରାମରେ ୧୯୯୯ ଜାନୁଆରୀ ୨୨ରେ ଦାରା ସିଂଙ୍କ ନେତୃତ୍ୱରେ କିଛି ଲୋକ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ପୁଅ ଫିଲିପ୍ (୧୦) ଏବଂ ଟିମୋଥି (୬) ଶୋଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଗ୍ରାହାମ୍ଙ୍କ ସମେତ ୩ ଜଣ ପୋଡ଼ି ହୋଇ ମୃତ୍ୟୁବରଣ କରିଥିଲେ ।
୨୦୦୩ରେ ନିମ୍ନ ଅଦାଲତ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ୨୦୦୫ରେ ହାଇକୋର୍ଟ ଦାରା ସିଂଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଏହି ଆଦେଶ ମଧ୍ୟ ୨୦୧୧ରେ ସୁପ୍ରିମ୍କୋର୍ଟ କାଏମ୍ ରଖିଥିଲେ । ସୁପ୍ରିମ୍କୋର୍ଟରେ ଦାରା ସିଂ ରୁଜୁ କରିଥିବା ପିଟିସନ୍ରେ ଦର୍ଶାଇଛନ୍ତି ଯେ, ସେ ଜେଲ୍ରେ ୨୪ ବର୍ଷ କଟାଇ ସାରିଲେଣି । ସେ ଯୁବାବସ୍ଥାରେ ଏଭଳି ଏକ କାର୍ଯ୍ୟ କରିଥିଲେ ।
ଏବେ ତାଙ୍କର ବୃଦ୍ଧାବସ୍ଥା । ଯେଉଁ ସମୟରେ ସେ ଏହି କାର୍ଯ୍ୟକୁ ନେଇ ଅନୁଶୋଚନା କରୁଛନ୍ତି । ସେ ଏହି ଅବସରରେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆସାମୀଙ୍କୁ ସୁପ୍ରିମ୍କୋର୍ଟ ୨୦୨୨ରେ କିପରି ଛାଡ଼ କରିଥିଲେ ସେ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି । ଦାରା ସେନା ପକ୍ଷରୁ ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ମାମଲା ପରିଚାଳନା କରୁଛନ୍ତି ।