ଡ୍ୟାନ୍ସ ପାର୍ଟିରେ ମସ୍ତି, କିନ୍ତୁ ସୋସିଆଲ୍‌ ଡିସ୍‌ଟାନ୍ସ

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଳୀ ୦୨।୦୪: କରୋନା ଭାଇରସ୍‌ ମହାମାରୀର ପ୍ରସାର ରୋକିବାକୁ ବ୍ରିଟେନ ପ୍ରାୟ ଗୋଟିଏ ସପ୍ତାହ ଧରି ଲକ୍‌ଡାଉନ୍‌ରେ ରହିଛି । ଏହି ସମୟରେ ଘରେ ରହିବାର ବିରକ୍ତିଭାବ ଦୂର କରିବା ପାଇଁ ଅନେକ ନୂଆ ନୂଆ ତରିକା ଆପଣାଉଛନ୍ତି । ଚେଶାୟାର୍‌ର କିଛି ବାସିନ୍ଦା ଏକ ଭିନ୍ନ ସୃଜନାତ୍ମକ ଉପାୟରେ ଘରେ ରହିବାର ବିରକ୍ତିଭାବକୁ ଦୂର କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି କାର୍ଯ୍ୟକଳାପରେ ସେମାନେ ସାମାଜିକ ଦୂରତା ନିୟମ ପାଳନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଯେତେବେଳେ ଜଣେ ବ୍ୟକ୍ତିର କାଶ କିମ୍ବା ଛିଙ୍କ ହୁଏ। ତା’ର ପାଟି ବା ନାକରୁ ସ୍ପ୍ରେ ଆକାରରେ କ୍ଷୁଦ୍ର ଜଳକଣା ନିର୍ଗତ ହୋଇଥାଏ ।

{"id":247765,"sizeSlug":"large"}

ସେଥିରେ ଭାଇରସ୍‌ ଥାଇପାରେ । ଯଦି ଜଣେ ବ୍ୟକ୍ତି ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କର ଅତି ନିକଟରେ ଥାନ୍ତି କିମ୍ବା ଶ୍ୱାସକ୍ରିୟାରେ ଉକ୍ତ କଣିକାକୁ ଗ୍ରହଣ କରନ୍ତି, ତେବେ କୋଭିଡ୍‌-୧୯ ଭଳି ଭୂତାଣୁ ସଂକ୍ରମଣର ଆଶଙ୍କା ତାଙ୍କଠାରେ ବେଶି ଥାଏ । ତେଣୁ ପରସ୍ପରଠାରୁ ଅତିକମ୍‌ରେ ୩ରୁ ୬ ଫୁଟ ଦୂରତା ରକ୍ଷା କରିବା ଉଚିତ । ଏହାକୁ ଦୃଷ୍ଟିରେ ରଖି ଚେଶାୟାର୍‌ର ଫ୍ରଡ୍‌ଶାମ୍‌ ବାସିନ୍ଦା ସାମାଜିକ ଦୂରତା ରକ୍ଷା କରି ପ୍ରତିଦିନ ନିଜ ନିଜ ଘର ଆଗରେ ଏକ ପାର୍ଟି ଆୟୋଜନ କରୁଛନ୍ତି । ସ୍ଥାନୀୟ ବାସିନ୍ଦା ଏଲ୍‌ସା ୱିଲିୟମ୍‌ସ ପାର୍ଟିର ଏକ ଭିଡିଓ ଟ୍ୱିଟରରେ ଶେୟାର କରିଛନ୍ତି । ଏଥିରେ ଦେଖାଯାଇଛି, ପରସ୍ପରଠୁ ଯଥେଷ୍ଟ ଦୂରତା ରକ୍ଷା କରି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଗୀତର ତାଳେ ତାଳେ ନୃତ୍ୟ କରୁଛନ୍ତି ।

ଏହିଭଳି ଭାବେ ସାମାଜିକ ଦୂରତା ରକ୍ଷା କରି ପ୍ରତିଦିନ ସେମାନେ ନିଜ ନିଜ ଘର ସାମ୍ନା ରାସ୍ତାରେ ଦିନ ୧୧ଟାରେ ନୃତ୍ୟ କରୁଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଏହି ଭିଡିଓ ଶେୟାର ହେବାର ଦିନକ ମଧ୍ୟରେ ୧୭ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏକ ଲକ୍ଷରୁ ଅଧିକ ଲାଇକ୍‌ ମଧ୍ୟ ମିଳିଛି । ଏଠାକାର ବାସିନ୍ଦାଙ୍କର ଏଭଳି କାର୍ଯ୍ୟକଳାପକୁ ଅନେକ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଫିଟ୍‌ନେସ ପ୍ରଶିକ୍ଷକ ଜନେତ୍‌ ଉଡ୍‌କକ୍‌ଙ୍କ ନେତୃତ୍ୱରେ ଏହି ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦୈନିକ ୧୦ ମିନିଟ୍‌ ଧରି ଦୂରତା ରକ୍ଷାପୂର୍ବକ ଏହି ନୃତ୍ୟ କରାଯାଉଛି । ଏ ଅଞ୍ଚଳରେ ଅଧିକ ବୟସ୍କ ଓ ଶିଶୁ ରହୁଥିବାରୁ ଏହି ପଦକ୍ଷେପ ଦ୍ୱାରା ସେମାନଙ୍କ ମନୋରଞ୍ଜନ ହୋଇପାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.