କପା ଚାଷୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ, ଶୋଇଥିବା ବେଳେ କିରୋସିନ ଢାଳି ଲଗାଇଦେଲେ ନିଆଁ

Published By : Prameya-News7 Bureau | December 16, 2022 IST

ବଲାଙ୍ଗିର ୧୬/୧୨: ବଲାଙ୍ଗିର ଜିଲ୍ଲା ବେଲାପଡା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମରେ ଏକ ଦମ୍ପତ୍ତିଙ୍କୁ ନିଆଁରେ ପୋଡ଼ି ମାରିବାକୁ ଉଦ୍ୟମ ଅଭିଯୋଗ । ରାତିରେ ଶୋଇଥିବା ବେଳେ କିରୋସିନି ଢାଳି ନିଆଁ ଲଗାଯାଇଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ଗୁରୁତର ଆହତ ହୋଇଥିବା ଦମ୍ପତ୍ତି ହେଉଛନ୍ତି ଭରତ ଭୂଇଁସାଲ ଓ କଳ୍ପନା ଭୂଇଁସାଲ ।

ସୂଚନା ଥାଉକି, ଭରତ ତାଙ୍କ ଚାଷ ଜମିରେ କପା ଚାଷ କରିଛନ୍ତି । ବର୍ତ୍ତମାନ କପା ତୋଳା ଚାଲିଥିବା ବେଳେ ସେମାନେ ଚାଷ ଜମିରେ କୁଡିଆ ମାରି କପା ଜଗୁଥିଲେ । ଗତକାଲି ସେଠାରେ ଉଭୟେ ଶୋଇଥିବା ବେଳେ ରାତି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ କୁଡିଆରେ କିରୋସିନି ଢାଳି ନିଆଁ ଲଗାଇଦେଇଥିବା କହିଛନ୍ତି ଉଭୟ ଦମ୍ପତ୍ତି ।

ଏଥିରେ ସ୍ତ୍ରୀ କଳ୍ପନାଙ୍କର ଶରୀରର ଅଧାଭାଗ ପୋଡ଼ିଥିବା ବେଳେ ସ୍ୱାମୀ ଭରତଙ୍କ ଗୋଡ ପୋଡିଛି । ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରଥେମ ବେଲପଡା ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭୀମଭୋଇ ମେଡିକାଲର ବର୍ଣ୍ଣ ୟୁନିଟରେ ରଖି ତାଙ୍କର ଚିକିତ୍ସା ଚାଲିଛି । ତେବେ କାହା ସହିତ କୌଣସି ଶତ୍ରୁତା କିମ୍ବା କଳି ଝଗଡ଼ା ନଥିବା ବେଳେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଲା ତାହା ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.