ବିଦ୍ୟୁତ୍ ଆଘାତରେ ଦମ୍ପତ୍ତି ମୃତ, ଅଳ୍ପକେ ବର୍ତ୍ତିଲା ଝିଅ

Published By : Prameya-News7 Bureau | August 10, 2022 IST

ବଡବିଲ ୧୦/୦୮: ବିଦ୍ୟୁତ୍ ଆଘାତରେ ଦମ୍ପତ୍ତି ମୃତ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ୫ ବର୍ଷର ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ଥାନା, ଅଁସେଇକଳା ପଂଚାୟତ, ଜାମୁକୁଣ୍ଡିଆ ଗାଁରେ । ମୃତ ଦମ୍ପତ୍ତି ହେଉଛନ୍ତି ମାନ୍ଦୁରୁ ମୁଣ୍ଡା ଓ ରାଇମଣୀ ମୁଣ୍ଡା । ତାଙ୍କର ୫ ବର୍ଷର ଝିଅ ଆରନୀ ବିଦ୍ୟୁତ୍ କରେଣ୍ଟ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୮ଟା ସମୟରେ ଏହି ଅଘଟଣ ଘଟିଛି । ମାନ୍ଦୁରୁ ମୁଣ୍ଡା ସ୍ତ୍ରୀ ରାଇମଣୀ ମୁଣ୍ଡା ଓ ୫ ବର୍ଷର ଝିଅ ଆରନୀ ଜାମୁକୁଣ୍ଡିଆ ହାଟକୁ ଯାଇଥିଲେ । ସେଠାରୁ ମାଛ କିଣି ରାତିରେ ଘରକୁ ଫେରିଥିଲେ । ତେବେ ଘରେ ଲାଗିଥିବା ଲୁହା କବାଟ ଫିଟାଇ ଭିତରକୁ ଯିବାବେଳେ, ସେମାନଙ୍କୁ ଜୋରଦାର ବିଦ୍ୟୁତ୍ ସକ୍ ଲାଗିଥିଲା । ଉଭୟ ସ୍ବାମୀ ସ୍ତ୍ରୀ ସେହିଠାରେହିଁ ଟଳିପଡ଼ିଥିଲେ।

ତେବେ ଝିଅ ଆରନୀକୁ ବିଦ୍ୟୁତ୍ ସକ୍ ଲାଗିଥିଲେ ବି ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲା । ତା'ର ଏକ ଗୋଡ଼ରେ ବିଦ୍ୟୁତ୍ ଆଘାତ ଲାଗିଥିବାରୁ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଯେଉଁ ଘର ଭିତରକୁ ଏମାନେ ପ୍ରବେଶ କରୁଥିଲେ ସେହି ଘରର କବାଟଟି ଲୁହ ନିର୍ମିତ କବାଟ ରହିଥିଲା । ଏହି କବାଟ ଉପର ଦେଇ ବିଦ୍ୟୁତ୍ ତାର ଘର ଭିତରକୁ ନିଆଯାଇଛି ।

ତେଣୁ ବିଦ୍ୟୁତ୍ ତାର ଲୁହା କବାଟରେ ଲାଗି ରହିଥିବାରୁ ସେଥିରୁ ହିଁ କବାଟରେ ବିଦ୍ୟୁତ୍ ଚାର୍ଜ ହୋଇଥିବା ଅନୁମାନ କରାଯାଉଛି । ତେଣୁ କବାଟ ଖୋଲିବା ସମୟରେ ଶକ୍ତ ବିଦ୍ୟୁତ୍ ଆଘାତ ଲାଗିଥିବା ସନ୍ଦେହ କରାଯାଉଛି । ଯୋଡ଼ା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଗାଁରେ ଏକ ପ୍ରକାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.