ଦାମଙ୍କ ଆଉ ଏକ ବାଣ: ତାମିଲ ଯବାନଙ୍କୁ ବଞ୍ଚାଇବା ପାଇଁ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଚପାଇଦେବାକୁ ହୋଇଥିଲା ଉଦ୍ୟମ

Published By : Prameya-News7 Bureau | September 25, 2018 IST

ଭୁବନେଶ୍ୱର ୨୫/୯ : କୁନ୍ଦୁଲି ପ୍ରସଙ୍ଗରେ ଆଜି ପାରାଦୀପ ବିଧାୟକ ତଥା ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଗୁରୁତର ଅଭିଯୋଗ ଆଣିଛନ୍ତି | ସେ କହିଛନ୍ତି ଯେ, ଜଣେ ତାମିଲ ଯବାନଙ୍କୁ ବଞ୍ଚାଇବାକୁ ଯାଇ କୁନ୍ଦୁଲି ପୀଡିତାଙ୍କ ଗଣଧର୍ଷଣ ହୋଇନାହିଁ ବୋଲି ସରକାର ପ୍ରମାଣ କରିବାକୁ ଉଦ୍ୟମ କରିଥିଲେ | ଯାହା ଫଳରେ ପୀଡିତା ଆତ୍ମହତ୍ୟା କଲେ ବୋଲି ଡାକ୍ତର ଦାମୋଦର ରାଉତ କହିଛନ୍ତି | ବିଜେଡିରୁ ବହିଷ୍କାର ହେବା ପୂର୍ବରୁ ଏବଂ ବହିଷ୍କୃତ ହେବା ପରେ ଶାସକ ଦଳ ପାଇଁ ଖଡଗହସ୍ତ ହୋଇ ରହିଥିବା ଡ.ଦାମୋଦର ରାଉତ ଏବେ ପ୍ରତ୍ୟେକ ଦିନ ସରକାରଙ୍କ ବିରୋଧରେ ବିଭିନ୍ନ ଗୁରୁତର ଅଭିଯୋଗ ଆଣିବାରେ ଲାଗିଛନ୍ତି | ଗତକାଲି ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପରିସଂଖ୍ୟାନ ନେଇ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଛି ବୋଲି କହିଥିଲେ | ଏ ପ୍ରସଙ୍ଗରୁ ଖିଅ ଧରି ଦାମ ଆଜି କୁନ୍ଦୁଲି ପ୍ରସଙ୍ଗ ଉଠାଇଥିଲେ | ଡ.ରାଉତ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି ଯେ, ଜଣେ ମହିଳା, ଯୁବତୀ ବା ନାବାଳିକା ଯଦି ଦୁଷ୍କର୍ମ ଅଭିଯୋଗ ଆଣନ୍ତି ତାଙ୍କୁ ଅବିଶ୍ୱାସ ନକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା | ତାପରେ ଲୋକଲଜ୍ଜାକୁ ଦୃଷ୍ଟିରେ ରଖି ସାଧାରଣତଃ ଦୁଷ୍କର୍ମ ଅଭିଯୋଗ କରିବାକୁ ସମସ୍ତେ ପଛଘୁଞ୍ଚା ଦିଅନ୍ତି | ତେଣୁ ଯିଏ ଅଭିଯୋଗ କରେ ନିଶ୍ଚୟ ଟା'ପଛରେ ସତ୍ୟତା ଥାଏ | କୁନ୍ଦୁଲି ମାମଲାରେ ସରକାର ତାହା ହୃଦୟଙ୍ଗମ କରିପାରିଲେ ନାହିଁ | ପୀଡିତା ସ୍ପଷ୍ଟ କହିଥିଲେ ଯେ, ତିନି ଜଣ ଖାକୀ ପୋଷାକଧାରୀ ତାଙ୍କୁ ଗଣଧର୍ଷଣ କରିଛନ୍ତି | ସରକାରଙ୍କ ଡାକ୍ତରୀ ମଇନା ଓ ସିମେନ ଟେଷ୍ଟ ମଧ୍ୟ ଭ୍ରମାତ୍ମକ ବୋଲି ଡ.ରାଉତ କହିଥିଲେ | ଘଟଣା ଘଟିବା ପରେ ବିଜେଡି ଦଳିତ ସେଲର ଅଧ୍ୟକ୍ଷ ବିଷ୍ଣୁ ଦାସ ସଦଳବଳେ କୁନ୍ଦୁଲି ଯାଇ ଘଟଣାର ଅନୁଧ୍ୟାନ କରି ଫେରିଥିଲେ | ସାମ୍ବାଦିକଙ୍କୁ ବିଷ୍ଣୁ କହିଥିଲେ ଯେ, ପୀଡିତା ଯବାନମାନଙ୍କ ଦ୍ୱାରା ଧର୍ଷଣର ଶିକାର ହୋଇଛନ୍ତି | ନିଜ ଦଳର ଛାମୁଆ ସଂଗଠନ ଅଧ୍ୟକ୍ଷଙ୍କ ଅନୁଧ୍ୟାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗ୍ରହଣ କଲେ ନାହିଁ | ବରଂ ତାଙ୍କୁ ଡରାଇ ଦିଆଗଲା ବୋଲି ଡ.ରାଉତ କହିଛନ୍ତି | ସେହିଭଳି ରାଜଧାନୀରେ ନିକଟରେ ହୋଇଥିବା ଆଉ ଏକ ଦୁଷ୍କର୍ମ ଘଟଣାରେ ମଧ୍ୟ ଦାମ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି | ଦୁର୍ବୁର୍ତ୍ତମାନେ ଅତି ଅମାନୁଷିକ ଭାବେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗକୁ କ୍ଷତାକ୍ତ କରିଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଦାମ କହିଛନ୍ତି | ସର୍ବୋପରି ନବମ ଶ୍ରେଣୀର ଉଲଗ୍ନ ଝିଅ ସହ ଜଣେ ଆଇଏଏସ ଅଧିକାରୀଙ୍କ ଫଟୋ ଖବରକାଗଜରେ ପ୍ରକାଶିତ ହୋଇଥିଲା | ଖବର ପ୍ରକାଶ ପାଇଥିବା ସବୁ କପି ସେହିଦିନ କିଣି ନିଆଗଲା | ଅନ୍ୟ ଏକ ଖବରକାଗଜରେ ପରବର୍ତ୍ତୀ ସମୟରେ ସମ୍ପାଦିତ ଖବର ପ୍ରକାଶ ପାଇଥିଲା | ଫଳରେ ଏହି ଖବରକାଗଜର ସମ୍ପାଦକଙ୍କୁ ଗିରଫ କରାଗଲା | ଏତେ ସବୁ ଅନୈତିକ କାର୍ଯ୍ୟ କିଭଳି ବରଦାସ୍ତ କରିହେବ ବୋଲି ଡାକ୍ତର ରାଉତ ପ୍ରଶ୍ନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.