ବୈତରଣୀ ନଦୀରୁ ବସ୍ତାରେ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
24/12/2022 at 5:26 PM

ପାଟଣା ୨୪/୧୨: ବୈତରଣୀ ନଦୀ ସିନ୍ଦୁରଗୌରୀ ଘାଟରୁ ଏକ ବସ୍ତାରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛିl ଉଦ୍ଧାର ବେଳେ ତାଙ୍କ ମୃତଦେହରେ ହାତ ଗୋଡ଼ ବନ୍ଧା ଯାଇଥିଲା। ଏପରି ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗାଁ ପାଖରେ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ମୃତକଙ୍କୁ ଦୁର୍ବୃତ୍ତ ହତ୍ୟାକରି ତାରରେ ତାଙ୍କ ହାତ ଗୋଡ଼ ବାନ୍ଧି ନଦୀରେ ଭସାଇ ଦେଇଥିବା ସନ୍ଦେହ କରାଯାଇଛି।
ଖବର ଅନୁସାରେ, ଶନିବାର କିଛି ଲୋକ ନଦୀରେ ବସ୍ତା ଭାସୁଥିବା ଦେଖି ପୋଲିସକୁ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ବସ୍ତାକୁ ଉଦ୍ଧାର କରିବା ପରେ ବସ୍ତାରୁ ଏକ ହାତ ଗୋଡ଼ ବନ୍ଧା ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ବସ୍ତା ଭିତରୁ ପୋଲିସ ପଥର ମଧ୍ୟ ଜବତ କରିଛିl ଘଟଣା ସ୍ଥଳରେ ଘଟଗାଁ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତିl