ଦାମଙ୍କ ନୂଆ ଦଳ ଗଠନ ପ୍ରସଂଗକୁ ଗୁରୁତ୍ୱ ଦେଲାନି ବିଜେଡି, ବିରୋଧୀ କହିଲେ ଭୋଟ ଡିଭାଇଡ ହେଲେ ତାଙ୍କୁ ଫାଇଦା
3/10/2018 at 5:55 PM

ଭୁବନେଶ୍ବର ୩|୧୦: ଅକ୍ଟୋବର ଶେଷ ସୁଦ୍ଧା ମାର୍କେଟକୁ ଆସିବ ଦାମଙ୍କ ନୂଆ ଦଳ । ଏକଥା ଆଜି ସେ ନିଜେ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ମନ୍ତ୍ରଣା ବି ଶେଷ ପର୍ଯ୍ୟାୟରେ ପହଁଚି ଗଲାଣି । ନୂଆ ଦଳରେ ବିଜୁଙ୍କ ବ୍ରାଣ୍ଡ ବି ରହିବ। ଏଥିରେ ଅସଲି ବିଜୁ ଭକ୍ତ ରହିବେ ବୋଲି ଦାମ ସିନା ଇସାରା ଦେଇଛନ୍ତି କିନ୍ତୁ ବିଜେଡି ନେତାମାନେ ଏହାକୁ କଥାରେ ଉଡେଇ ଦେଇଛନ୍ତି। …
ଦାମ ଗଢିବେ ନୂଆ ଦଳ । ଏଇ ମାସ ଶେଷ ସୁଦ୍ଧା ନୂଆ ଦଳର ରୂପ ରେଖ ସାମ୍ନାକୁ ଆସିବ ବୋଲି ଦାମ ସଂକେତ ଦେଇଛନ୍ତି । ନୂଆ ଦଳରେ ବିଜୁଙ୍କ ନାଁ ରହିବ । ହୁଏତ ନାଁ ଏମିତି କିଛି ହୋଇପାରେ ତୃଣମୂଳ ବିଜୁ ଜନତାଦଳ କିମ୍ବା ବିଜୁ କଲ୍ୟାଣ ଦଳ, ଏମିତି କିଛି। ତେବେ ଦାମ ଗୋଟିଏ କଥା ଆଭାସ ଦେଇଛନ୍ତି ଯେ ବିଜେଡିରୁ ବିଦା ହୋଇଥିବା ଏବଂ ଅସନ୍ତୁଷ୍ଟ ହୋଇ ବିଜେଡିରେ ପଡିଥିବା ବିଜୁ ପ୍ରେମୀଙ୍କୁ ଦାମ ଏକାଠି କରିବେ। ଦାମଙ୍କ ଯୁକ୍ତି ଏବର ବିଜେଡି ଆଉ ବିଜୁଙ୍କ ଆଦର୍ଶରେ ଚାଲୁନି । ତେଣୁ ନୂଆ ଦଳ ଅସଲି ବିଜେଡି ଭାବେ ପରିଗଣିତ ହେବ । ତେବେ ଦାମଙ୍କ ନୂଆ ଦଳ ଗଢା ଯୋଜନାକୁ ବାଚଳାମି କହିଛି ବିଜେଡି । ବୈଜୟନ୍ତଙ୍କ କଥାରେ ଦାମ ଡେଉଁଛନ୍ତି ବୋଲି ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କଟାକ୍ଷ କରିଛନ୍ତି ।
କାଲି ଦାମ ହାଜର ହୋଇଥିଲେ କଂଗ୍ରେସ ଭବନରେ। ସେଠି ବି ସମ୍ବିଧାନ ଉପରେ ଆଲୋଚନା ଛଳରେ ଦାମ ନୂଆ ଦଳର ଆଭାସ ଦେଇଥିଲେ । କହୁ କହୁ କହିଥିଲେ ବୈଜୟନ୍ତ ପଣ୍ଡା ଏଥିପ୍ରତି ଆଗ୍ରହ ଦେଖାଇଛନ୍ତି। ଏବେ ଶୁଣିବାକୁ ମିଳୁଛି ପଞ୍ଚାନନ କାନୁନଗୋ, ଜଜ୍ଞେଶ୍ବର ବାବୁ, ରାମକୃଷ୍ଣ ପଟନାୟକ, ବ୍ରଜ ତ୍ରିପାଠୀ ଆଦି ନେତାମାନଙ୍କୁ ସାଙ୍ଗରେ ନେଇ ଦାମ ଆଗକୁ ବଢିବା ଯୋଜନାରେ ଅଛନ୍ତି । ଏହା ବାଦ୍ ଶରତ କର, ଜୟରାମ ପାଙ୍ଗିଙ୍କ ଭଳି ନେତା କୁଆଡ଼େ ଯୋଗାଯୋଗରେ ଅଛନ୍ତି । ସେହିଭଳି ବିଜୟ ମହାପାତ୍ରଙ୍କ ଭଳି କିଛି ନେତା ବି ଦାମଙ୍କ ନୂଆ ଦଳ ଗଠନ ଉପରେ ନଜର ରଖିଛନ୍ତି । କିନ୍ତୁ କିଏ ଏବେ ମୁହଁ ଖୋଲିବା ମୁଡ୍ ରେ ନାହାଁନ୍ତି ।
ଦାମ ଯଦି ନୂଆ ଦଳ ଗଢିବେ ଏଥିରୁ କିଏ କେତେ ଫାଇଦା ନେବେ ତାହା ତ ସମୟ କହିବ । କିନ୍ତୁ ବିରୋଧି ବିଜେପି ଓ କଂଗ୍ରେସ ଶିବିରରେ ଏହାକୁ ନେଇ ବେଶ୍ ଉତ୍ସାହ । ବିଜେଡି ଭୋଟ ଡିଭାଇଡ୍ ହେଲେ ଏହି ଦୁଇଦଳ ଫାଇଦା ପାଇବା ଆଶାରେ ରହିଛନ୍ତି ।
୨୦୧୯ ନିର୍ବାଚନ ପୂର୍ବରୁ ନୂଆ ଦଳର ନୂଆ ସମୀକରଣ ନୂଆ ଲେଖାଯୋଖା ଆସିବ ହିଁ ଆସିବ। କିନ୍ତୁ ଏହା ଭୋଟରଙ୍କୁ କେମିତି ପ୍ରଭାବିତ କରୁଛି ତାହା କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ।