ମଙ୍ଗଳବାର ପର୍ଯ୍ୟନ୍ତ ଦାମ କଲେନି ଅପେକ୍ଷା : ଆଜି ହିଁ ମାରିଲେ ଚତୁର୍ଥ ବାଣ
10/09/2018 at 2:20 PM

ଭୁବନେଶ୍ୱର ୧୦/୯ : ଡ.ଦାମୋଦର ରାଉତ ଆଜି ତାଙ୍କର ଚତୁର୍ଥ ବାଣ ପ୍ରୟୋଗ କରିଛନ୍ତି | ଆମ ପୂର୍ବାନୁମାନ ଅନୁସାରେ ତାଙ୍କ ଚତୁର୍ଥ ବାଣଟି ସ୍ୱାସ୍ଥ୍ୟ ବିଭାଗ ଉପରେ ଆଧାରିତ | ଏଥିରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡ୍ୟାଙ୍କୁ ଟାର୍ଗେଟ କରିଛନ୍ତି |
ସ୍ୱାସ୍ଥ୍ୟ ବିଭାଗର ୧୨୦୦ ଡାକ୍ତର ଗାୟବ ବୋଲି ଦାମ କହିଛନ୍ତି | ସେ କହିଛନ୍ତି ଯେ, ଏହି ଡାକ୍ତର ମାନଙ୍କୁ ପବ୍ଲିକ ସର୍ଭିସ କମିଶନ ଜରିଆରେ ନିଯୁକ୍ତି ଦିଆଯାଇଥିଲା କିନ୍ତୁ ଏମାନେ ସରକାରୀ ଡାକ୍ତରଖାନାରେ କାମ ନକରି ଘରୋଇ ଚିକିତ୍ସା କରୁଛନ୍ତି | ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଦାମ ପ୍ରଶ୍ନ ଉଠାଇଛନ୍ତି | ଦାମ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଜିଲ୍ଲା ଓ ଗ୍ରାମାଞ୍ଚଳ ଡାକ୍ତରଖାନାର ଭିତ୍ତିଭୂମି ଉନ୍ନତି ପାଇଁ ୩ ବର୍ଷରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ନିଷ୍ପତ୍ତି ହୋଇଥିଲା | ତାକୁ କେଉଁ ଆଧାରରେ ଓ କାହିଁକି ବନ୍ଦ କରାଗଲା ବୋଲି ଦାମ ପ୍ରଶ୍ନ କରିଛନ୍ତି |
ଡାକ୍ତର ମୋତିଲାଲ ଗୌଡ଼ଙ୍କ କେଳେଙ୍କାରୀ ପ୍ରସଙ୍ଗ ଉଠାଇ ଦାମ ପୁଣି ଅରୁଣ ସାହୁଙ୍କୁ ଟାର୍ଗେଟ କରିଛନ୍ତି | ମୋତିଲାଲ ଗୌଡ଼ କରିଥିବା ୬୦ ଲକ୍ଷ ଟଙ୍କାର ଘୋଟାଲା କଣ ହେଲା ବୋଲି ଦାମ ପ୍ରଶ୍ନ କରିଛନ୍ତି | ଅନ୍ୟ ପକ୍ଷରେ ରାଜ୍ୟରେ ଅମଲା ରାଜୁତି ଚାଲିଛି ବୋଲି ଦାମ ଅଭିଯୋଗ କରିଛନ୍ତି |
ଯାଜପୁର ଜିଲ୍ଲାରେ ପ୍ରତିଷ୍ଠା ହେଉଥିବା ରାମକୋ ସିମେଣ୍ଟ କାରଖାନା କାହାର ଓ କେଉଁ ଆଧାରରେ ଏହି କାରଖାନା ପାଇଁ ଜମି ପ୍ରଦାନ କରାଯାଇଛି ତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି | ସେ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ ଯାଜପୁର ଜିଲ୍ଲାପାଳ ତଥ୍ୟ ଦେଇପାରୁନାହାନ୍ତି | ତେବେ ରାମକୋକୁ ଦିଆଯାଇଥିବା ଜମି ଦେବତ୍ୱର ବିଭାଗର ବୋଲି ଦାମ କହିଛନ୍ତି | ଏହି କମ୍ପାନୀ ମଧ୍ୟ ତାମିଲନାଡୁ ଭିତ୍ତିକ ବୋଲି ଦାମ ପରୋକ୍ଷରେ ଇଙ୍ଗିତ କରିଛନ୍ତି |
ଏଥି ସହ ରାଜ୍ୟରେ ଥିବା ଓଡ଼ିଆ ଆଇଏଏସ ମାନଙ୍କ ସ୍ୱାଭିମାନ ସଙ୍କଟରେ ବୋଲି ଦାମ କଟାକ୍ଷ କରିଛନ୍ତି | ସେ କହିଛନ୍ତି ଯେ, ଓଡିଶାରେ ତାମିଲ ଔପନିବେଶବାଦ ଚାଲିଛି | ମୁଖ୍ୟମନ୍ତ୍ରୀଙ୍କୁ ବହୁ ଦୁର୍ନୀତି ଗ୍ରସ୍ତ ଲୋକ ଘେରି ରହିଛନ୍ତି ବୋଲି ଦାମ ଅଭିଯୋଗ କରିଛନ୍ତି |
ଗତ ଶନିବାର ଦିନ ଦାମ ତାଙ୍କ ତୁଣ୍ଡକୁ ୨ ଦିନ ବିଶ୍ରାମ ଦେବେ ଓ ମଙ୍ଗଳବାର ଚତୁର୍ଥ ବାଣ ମାରିବେ ବୋଲି ପରୋକ୍ଷରେ ସୂଚନା ଦେଇଥିଲେ | କିନ୍ତୁ ଅଥୟ ଦାମଙ୍କ ତୁଣ୍ଡ ତାହା ମାନିଲା ନାହିଁ | ଆଜି ବିଧାନସଭା ପ୍ରଶ୍ନୋତ୍ତର କାଳ ପରେ ପରେ ଦାମ ତାଙ୍କ ଚତୁର୍ଥ ବାଣ ସ୍ୱାସ୍ଥ୍ୟ ବିଭାଗକୁ ମାରିଛନ୍ତି | ଏଥି ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ତେବେ ଦାମଙ୍କ ଏହି ବିବୃତି ସମ୍ପର୍କରେ ଶାସକ ଦଳର କେହି ମୁହଁ ଖୋଲିବା ପାଇଁ ଚାହିଁ ନାହାନ୍ତି |