Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜ୍ଞାମାଳ ଆସିବା ପରେ ରଥର ଦକ୍ଷିଣମୋଡ

6/07/2022 at 5:43 PM

ପୁରୀ ୬: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି।‌ ରଥଯାତ୍ରାର ଆଜି ଷଷ୍ଠ ଦିବସରେ ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ବୁଧବାର ରଥର ଦକ୍ଷିଣମୋଡ କରାଯାଇଛି।‌ ତେବେ ଆସନ୍ତା ୮ତାରିଖ ନବମୀ ତଥା ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଅପରାହ୍ନ ୪ଟା ଯାଏଁ ଦର୍ଶନ କରିପାରିବେ। ଜିଲ୍ଲାପାଳଙ୍କ ସହ ଦଇତାପତି ଓ ଅନ୍ୟ ସେବାୟତ ନିଯୋଗଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ମଙ୍ଗଳବାର ହେରାପଞ୍ଚମୀ ଅବସରରେ ନନ୍ଦିଘୋଷ ରଥ ଭଙ୍ଗା ନୀତି ସମ୍ପନ୍ନ ପରେ ବୁଧବାର ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି। ଆସନ୍ତା ୯ ତାରିଖରେ ବାହୁଡାଯାତ୍ରା । ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ସହ ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିଥିଲେ। ତିନି ରଥରେ ଆଜ୍ଞାମାଳ ଦେବା ପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ବାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ଵରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଭକ୍ତ, ସେବାୟତ ଓ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ପରେ ବଳଭଦ୍ରଙ୍କ ରଥ ଦକ୍ଷିଣମୋଡ଼ କରିଥିଲେ। ଗତବର୍ଷ କେବଳ ସେବାୟତମାନେ ଦକ୍ଷିଣମୋଡ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ଓ ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଦକ୍ଷିଣମୋଡ କରିଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ।

ସେପଟେ ବାହୁଡା ଯାତ୍ରା ପାଇଁ ସେବାୟତ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଆସନ୍ତା ୮ ତାରିଖରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁ କେବଳ ଅପରାହ୍ନ ୪ଟା ଯାଏଁ ହିଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ରଥଯାତ୍ରା ଭଳି ଆସନ୍ତା ୯ ତାରିଖ ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ସଅଳ କରାଯିବ ସେନେଇ ଜିଲ୍ଲପାଳଙ୍କ ସହ ଦଇତାପତି ନିଯୋଗ ଆଲୋଚନା କରିଛି। ୧୦ ତାରିଖ ସୁନାବେଶରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରାଯିବ। ସମସ୍ତ ଭକ୍ତ ଯେଭଳି ସୁନ୍ଦର ଭାବେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେନେଇ ମଧ୍ୟ ପଦକ୍ଷେପ ନିଆଯାଇଛି। ସେବାୟତମାନେ ରଥ ଉପରେ ଫଟୋ କିମ୍ବା ଭିଡ଼ିଓ ଉଠାଇ ପାରିବେ ନାହିଁ। ତିନି ରଥର ବିଗ୍ରହଙ୍କ ଉଭୟ ପାର୍ଶ୍ୱରେ ପାଇପ୍ ଲଗାଯିବ। ଯାହା ଫଳରେ କୈାଣସି ସେବାୟତ ବିଗ୍ରହଙ୍କ ସମ୍ମୁଖକୁ ଯାଇପାରିବେ ନାହିଁ ବୋଲି ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି। 

ରଥ ଦକ୍ଷିଣମୋଡ଼ ସମୟରେ ରଥ ଦଉଡ଼ି ଟାଣିବା ପାଇଁ ଭକ୍ତ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଥିଲା। ଗୁରୁବାର ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରାଯିବ।

   Related Posts