ଆତଙ୍କ ଖେଳାଇଥିବା ଡକାୟତ ଗ୍ୟାଙ୍ଗ ଗିରଫ: ଏକାଧିକ ଗାଡ଼ି ସହ ବିପୁଳ ପରିମାଣରେ ସାମଗ୍ରୀ ଜବତ
27/01/2023 at 10:08 PM

କେନ୍ଦ୍ରାପଡ଼ା ୨୭:୦୧:୨୩: ଜିଲ୍ଲା ମାର୍ଶାଘାଇ ଥାନା ପୋଲିସର ବଡ଼ ସଫଳତା। ବିପୁଳ ପରିମାଣର ଚୋରୀ ସାମଗ୍ରୀ ସହ ୬ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମାର୍ଶାଘାଇ ପୋଲିସ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଲୁଣାବ୍ରିଜ ନିକଟ ଇଲେକ୍ଟ୍ରିକ ଅଫିସରୁ ଚଳିତ ମାସ ୨୦ ତାରିଖ ବିଳମ୍ବିତ ରାତିରେ ବଡ ଧରଣର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ୨୧ ତାରିଖରେ ମାର୍ଶାଘାଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରିଥିଲା ପୁଲିସ୍। ଏହି ଚୋରି ପଛରେ ଏକ ଅନ୍ତଃଜିଲ୍ଲା ଡକାୟତି ଟିମ୍ ଥିବା ଜଣାପଡ଼ିବା ପରେ ଗ୍ରୁପ୍କୁ ଧରିବାକୁ ଏସ୍ଡିପିଓ ଜୟନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ଗଠନ କରାଯାଇଥିଲା।
ଏହି ଟିମ୍ ଟାଙ୍ଗୀ , ଚୈଦ୍ୱାର , କଟକ , କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢାଉ ବେଳେ ୬ ଜଣ ଡକାୟତ ଧରିବା ସହ ସହ ସେମାନଙ୍କ ନିକଟରୁ ୮ ଅଷ୍ଟଧାତୁ ମୃର୍ତ୍ତି , ବିପୁଳ ପରିମାଣର ସିଲଭର୍ ଏବଂ ତମ୍ବା ତାର , ଓଜନ ମେସିନ, କଟର ମେସିନ ଜବତ ହୋଇଛି।
ତା ସହିତ ଏହି ଡକାୟତ ଗ୍ୟାଙ୍ଗ ଠାରୁ ଗୋଟିଏ ପିକ୍ଅପ୍ ଭ୍ୟାନ୍ , ଗୋଟିଏ ହୋଣ୍ଡା ଆମେଜ୍ କାର, ଗୋଟିଏ ଟାଟା ଏସି ଗାଡି, ୩ ଟି ବାଇକ ମଧ୍ୟ ଜବତ କରାଯାଇଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି। ଖୁବ୍ଶୀଘ୍ର ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଧରାଯିବ ବୋଲି କେନ୍ଦ୍ରାପଡା ଏସ୍ଡିପିଓ ଜୟନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।