ବିକ୍ରି ହୋଇଗଲା ବାଦଶାହ ମସଲା, ଡାବର କିଣିଲା ୫୧ ପ୍ରତିଶତ ଅଂଶଧନ
2/01/2023 at 9:48 PM

ନୂଆଦିଲ୍ଲୀ: ବାଦଶାହ ମସଲାରେ ଇକ୍ୱିଟୀ ସେୟାରରେ ୫୧ ପ୍ରତିଶତ ବହୁମତ ହାସଲ କରିଛି ଡାବର ଇଣ୍ଡିଆ । ଏଫଏମସିଜି କମ୍ପାନି ଡାବର ଇଣ୍ଡିଆ ସୋମବାର ଷ୍ଟକ୍ ଏକ୍ସଚେଞ୍ଜକୁ ଏହି ସୂଚନା ଦେଇଛି । ଏହାସହ କମ୍ପାନି ପାଖରେ ବାଦଶାହ ମସଲଆର ମାଲିକାନା ରହିଛି । ୯୯,୫୨୮.୮୧ କୋଟି ଟଙ୍କାର ବଜାର ପୁଞ୍ଜି ଥିବା ଡାବର ଇଣ୍ଡିଆ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚନା ଦେଇ କହିଛି ଯେ ଜାନୁଆରୀ ୨ରେ ନେଣଦେଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ।
ଗତ ଅକ୍ଟୋବର ୨୬ରେ ଡାବର ଘୋଷଣା କରିଥିଲା ଯେ ସେ ୫୮୭.୫୨ କୋଟି ଟଙ୍କାରେ ବାଦଶାହ ମସଲାରେ ୫୧ ପ୍ରତିଶତ ଅଂଶଧନ ହାସଲ କରିବ । ଏହି ଡିଲ୍ରେ ବାଦଶାହ କମ୍ପାନିର ଭେଲ୍ୟୁଏସନ ୧,୧୫୨ କୋଟି କରାଯାଇଛି ।
ଅକ୍ଟୋବର ମାସରେ ଡାବର ଇଣ୍ଡିଆ ବାଦଶାହ ମସଲାରେ ୫୧ ପ୍ରତିଶତ ଅଂଶଧନ ହାସଲ କରିବା ନେଇ ବୁଝାମଣା ଉପରେ ହସ୍ତାକ୍ଷର କରିଥିଲା । ୧୯୫୮ ମସିହାରେ ପ୍ରତିଷ୍ଠା ହୋଇଥିବା ବାଦଶାହ ମସଲା ଆର୍ଥିକ ବର୍ଷ ୨୦୨୧-୨୨ରେ ୧୮୯.୧ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଝାଭେରୀ ପରିବାର ଦ୍ୱାରା ପରିଚାଳିତ ଏହି କମ୍ପାନି ନିଜର ଆୟର ୮୨ ପ୍ରତିଶତ ମିଶ୍ରିତ ମସଲାରୁ ହାସଲ କରିଥାଏ ।