ନୂଆଦିଲ୍ଲୀ: ସେୟାର ବଜାରରେ ସୋମବାର ଲଗାତାର ଷଷ୍ଠ ଦିନରେ ବଡ଼ ହ୍ରାସ ରେକର୍ଡ ହୋଇଛି । ସେନସେକ୍ସ ୫୫୦ ଅଙ୍କ କମିଥିବା ବେଳେ ନିଫ୍ଟି ୨୪୮୦୦ ତଳକୁ ଖସି ବନ୍ଦ ହୋଇଛି । ଆଜିର କାରବାରରେ ସ୍ମଲକ୍ୟାପ୍ ଏବଂ ମିଡ୍କ୍ୟାପ୍ ସବୁଠୁ ବଡ଼ ମାଡ଼ ସହିଥିଲେ । ବିଏସଇ ମିଡ୍କ୍ୟାପ୍ ସୂଚକାଙ୍କ ୨ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ୩ ପ୍ରତିଶତର ବଡ଼ ହ୍ରାସ ସହ ବନ୍ଦ ହୋଇଛି । ଆଜିର ଏହି ହ୍ରାସ ଯୋଗୁଁ ନିବେଶକଙ୍କୁ ପ୍ରାୟ ୮.୬୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଦେଶୀ ନିବେଶକଙ୍କ ଦ୍ୱାରା ମାତ୍ରାଧିକ ବିକ୍ରି ଯୋଗୁଁ ବଜାର ଚାପରେ ରହିଛି । ଆଇଟିକୁ ଛାଡ଼ି ଅନ୍ୟ ସବୁ ସେକ୍ଟରର ସୂଚକାଙ୍କ ଲାଲ୍ ସଂକେତରେ ବନ୍ଦ ହୋଇଛି । ସରକାରୀ ବ୍ୟାଙ୍କ, ଫାର୍ମା, କ୍ୟାପିଟାଲ୍ ଗୁଡ୍ସ, ରିୟଲ୍ଟି, ଅୟଲ ଆଣ୍ଡ ଗ୍ୟାସ୍, ମିଡିଆ ଆଣ୍ଡ ଟେଲିକମ ୧ରୁ ୩ ପ୍ରତିଶତ ଯାଏ ହ୍ରାସ ସହ ବନ୍ଦ ହୋଇଛି ।
ସୋମବାର କାରବାର ଶେଷରେ ବିଏସଇ ସେନସେକ୍ସ ୫୫୦.୮୫ ଅଙ୍କ ବା ୦.୬୭ ପ୍ରତିଶତ ଖସି ୮୧୧୩୭.୬୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୯୭.୩୦ ଅଙ୍କ ବା ୦.୭୯ ପ୍ରତିଶତ ଖସି ୨୪୮୧୭.୩୦ ଅଙ୍କରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିର ମୋଟ ମାର୍କେଟ୍ କ୍ୟାପ୍ ଆଜି କମ ହୋଇ ୪୫୨.୨୭ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଶୁକ୍ରବାର ଅକ୍ଟୋବର ୪ରେ ୪୬୦.୮୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ଏମ୍-କ୍ୟାପି ଆଜି ପ୍ରାୟ ୮.୬୨ ଲକ୍ଷ କୋଟି ଟଙ୍କା ଖସିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୮.୬୨ ଲକ୍ଷ କୋଟି ଟଙ୍କାର ଝଟକା ଲାଗିଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ହ୍ରାସ ସହ ବନ୍ଦ ହୋଇଥିବା ସେୟାର ସଂଖ୍ୟା ଅଧିକ ରହିଛି । ଏକ୍ସଚେଞ୍ଜରରେ ମୋଟ ୪୧୭୮ ସେୟାରରେ ଆଜି କାରବାର ଦେଖିବାକୁ ମିଳିଛି । ଏଥିରୁ ୬୪୨ ସେୟାର ସବୁଜ ଏବଂ ୩୪୧୪ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି ।