ରାଜଧାନୀର ଖୁଚୁରା ବଜାରରେ ମଧ୍ୟ 'ତିତ୍‌ଲି'ର ପ୍ରଭାବ : ଆଳୁ-ପିଆଜ କିଲୋ ପିଛା ୩ ରୁ ୫ଟଙ୍କା ବୃଦ୍ଧି କରିଛନ୍ତି ମୁନାଫାଖୋର ବ୍ୟବସାୟୀ

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦: ରାଜଧାନୀର ଖୁଚୁରା ବଜାରେ ମଧ୍ୟ 'ତିତ୍‌ଲି'ର ପ୍ରଭାବ ଦେଖିବାକୁ ମିଳିଛି । ବାତ୍ୟା ଆଳରେ କିଛି ଅସାଧୁ ବ୍ୟବସାୟୀ କଳାବଜାରୀ ଆରମ୍ଭ କରିଦେଇଥିବା ବେଳେ ଅଧିକ ରେଟ୍‌ରେ ଜିନିଷ କିଣିବାକୁ ବାଧ୍ୟ ହୋଇଛନ୍ତି ଗ୍ରାହକ । ବିଶେଷ କରି ମାର୍କେଟ୍‌ରେ  ଆଳୁ-ପିଆଜ କିଲୋ ପିଛା ୩ରୁ ୫ଟଙ୍କା ବଢ଼ିଯାଇଥିବାର ଦେଖିବାକୁ ମିଳିଛି ।  ତେବେ ଆନ୍ଧ୍ରପଟୁ ଆସୁଥିବା ପରିବା ଟ୍ରକ୍‌ ବିଭିନ୍ନ ସ୍ଥାନରେ ଅଟକି ରହିଥିବାରୁ ମାର୍କେଟ୍‌ରେ ପରିବାର ପରିମାଣ କମ୍‌ ରହିଛି ବୋଲି କହୁଛନ୍ତି ବ୍ୟବସାୟୀ । ବାତ୍ୟା ସହ ଆଳୁ-ପିଆଜର ସମ୍ପର୍କ ଭାରି ନିବିଡ଼ । ଏକଥା ଏବେର ନୁହେଁ, ଯେତେବେଳେ ବି ବାତ୍ୟାର ସମ୍ଭାବନା ଦେଖାଦିଏ, ସେତେବେଳେ ବଜାରରୁ ଉଭାନ୍‌ ହୋଇଯାଏ ଆଳୁ-ପିଆଜ । ନହେଲେ ହଠାତ୍‌ ଦର ବଢ଼ିଯାଏ । ଏଥର ତିତ୍‌ଲିକୁ ନେଇ ମଧ୍ୟ ଠିକ୍‌ ସେଇ ସମାନ କଥା ନଜରକୁ ଆସିଛି ।  ତିତ୍‌ଲି ନାଁ ଶୁଣୁ ଶୁଣୁ ରାଜଧାନୀର ଖୁଚୁରା ବଜାରରେ ଆଳୁ-ପିଆଜ ଦର ହଠାତ୍‌ ୩ରୁ ୫ଟଙ୍କା ବଢ଼ିଯାଇଥିଲା । ଦୁଇ ଦିନ ପୂର୍ବରୁ ୧୭-୧୮ରେ ବିକ୍ରି ହେଉଥିବା ଆଳୁ କୋଉଠି ୨୨-୨୩ ହୋଇଗଲା ତ ଆଉ କୋଉଠି ୧୮-୨୦ରେ ବିକ୍ରି ହେଉଥିବା ପିଆଜ ୨୫ରୁ ୨୭ଟଙ୍କାକୁ ବଢ଼ିଗଲା ।   ଖାଲି ଆଳୁ-ପିଆଜ କାହିଁକି ଚୁଡ଼ା, ଚିନି ଭଳି ସାମଗ୍ରୀର ଦର ମଧ୍ୟ ବଢ଼ାଇଦେଲେ ବ୍ୟବସାୟୀ । ହେଲେ ଦରବୃଦ୍ଧି ସମ୍ପର୍କରେ ବ୍ୟବସାୟୀଙ୍କ ଯୁକ୍ତି ଥିଲା କିଛି ଅଲଗା । ଆନ୍ଧ୍ରରୁ ଆସୁଥିବା ପରିବା ବୋଝେଇ ଟ୍ରକସବୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବାରୁ ବଜାରରେ ପରିବାର ପରିମାଣ କମ୍‌ ରହିଛି । ତେଣୁ କିଛି ଯାଗାରେ ଦର ସାମାନ୍ୟ ବଢ଼ିଛି ବୋଲି କହୁଛନ୍ତି ବ୍ୟବସାୟୀ । ଆଳୁ-ପିଆଜର ହୋଲସେଲ ଦର ଅପରିବର୍ତ୍ତିତ ଥିବା ବେଳେ କିଛି ଖୁଚୁରା ବ୍ୟବସାୟୀ  ମନଇଚ୍ଛା ଦର ବଢ଼ାଇଥିବା ଦେଖିବାକୁ ମିଳିଛି । ତେବେ ରାଜଧାନୀରେ ବିଭିନ୍ନ ହାଟରେ ପରିବା ଦର ସାମାନ୍ୟ ବଢ଼ିଛି ଏକଥାକୁ ବ୍ୟବସାୟୀ ବି ମାନୁଛନ୍ତି । ପ୍ରଶାସନର କଟକଣା ସତ୍ବେ ଗଳିପଶି ଦୁଇ ପଇସା ଅଧିକ ମୁନାଫା କମାଇବା ଚକ୍କରରେ କିଛି ଅସାଧୁ ବ୍ୟବସାୟୀ ମଉକା ଦେଖି ଦାମ୍‌ ବଢ଼ାଉଛନ୍ତି ।  ଯାହା ଗ୍ରାହକଙ୍କୁ ଅସନ୍ତୁଷ୍ଟ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.