ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା 'ତିତଲି' ; ଗୋପାଳପୁରଠାରୁ ୪୧୦କିଲୋମିଟର ଦୂରରେ ଘନୀଭୂତ

Published By : Prameya-News7 Bureau | October 10, 2018 IST

ଭୁବନେଶ୍ବର ୧୦|୧୦:  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆଜି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୟଙ୍କର ବାତ୍ୟାରେ ପରିଣତ ହେବ 'ତିତଲି' । ଆଇଏମଡି ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ,  ଗୋପାଳପୁରଠାରୁ ଦକ୍ଷିଣ ପୂର୍ବରେ ୪୧୦କିମି ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମଠାରୁ ପୂର୍ବ ଦକ୍ଷିଣ ପୂର୍ବରେ ୩୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ଏହା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ସକାଳେ ଏହା କଳିଙ୍ଗପାଟନମ୍  ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଆଉ ଏହି ସମୟରେ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶା-ଉପକୂଳ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି  । ଯାହା ୧୧ ତାରିଖ ସକାଳ ସାଢେ ୫ଟା ଯାଏଁ ବଳବତ୍ତର ରହିବାର ସମ୍ଭାବନା ରହିଛି । ୧୨ ତାରିଖରୁ ବର୍ଷାର ପରିମାଣ ଧିରେ ଧିରେ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି । ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ତ୍ରୀବତା ଜଣାପଡିବ ବୋଲି ଏସଆରସି ପକ୍ଷରୁ କୁହାଯାଇଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.