ବାତ୍ୟାର ରୂପ ନେଲା ଗଭୀର ଅବପାତ: ଘଣ୍ଟା ପ୍ରତି ୧୭ କିମି ବେଗରେ ମାଡି ଆସୁଛି 'ଗୁଲାବ', ସାତ ଜିଲ୍ଲାକୁ ହାଇ ଆଲର୍ଟ

Published By : Prameya-News7 Bureau | September 25, 2021 IST

ଭୁବନେଶ୍ଵର ୨୫।୦୯: ଆସୁଛି ବାତ୍ୟା 'ଗୁଲାବ'। ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇଛି। କାଲି ସଂଧ୍ୟାରେ କଳିଙ୍ଗପାଟନମ ଓ ଗୋପାଳ ମଧ୍ୟରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା । ଏହି ସମୟରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିବ। ଉପକୂଳ ଓଡିଶାରେ ମଧ୍ୟ ପ୍ରବଳ ବର୍ଷିବା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି SRC। ପ୍ରଭାବତି ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଏବଂ ଫାୟାର ଟିମ୍ ମୁତୟନ କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇଛି। ଏହାର ନାମକରଣ ଗୁଲାବ ରଖାଯାଇଛି। ସଂଧ୍ୟାରେ ଏହା ଘନୀଭୂତ ହୋଇ ସାମୂଦ୍ରିକ ଝଡର ରୂପ ନେଇଛି। ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଠାରୁ ପ୍ରାୟ ୪୧୦ କିଲୋମିଟର ଏବଂ କଳିଙ୍ଗପଟନମ୍ ର ଉତ୍ତର ଓ ଉତ୍ତରପୂର୍ବକୁ ପ୍ରାୟ ୪୮୦ କିଲୋମିଟର୍ ଦୂରରେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏବେ ଏହା ଘଣ୍ଟାକୁ ୧୭ କିଲୋମିଟର ବେଗରେ ଗତି କରୁଛି ।  ଆସନ୍ତାକାଲି ସଂଧ୍ୟାରେ ଗୋପାଳପୁର ଏବଂ କଳିଙ୍ଗପଟନମ୍ ଭିତରେ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିଲୋମିଚର ରହିବା ଆକଳନ କରାଯାଉଛି । ପ୍ରଭାବରେ ଓଡିଶାର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଆଜି ସନ୍ଧ୍ୟା ପରଠୁ ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ଅକସ୍ମାତ୍ ବନ୍ୟା ନେଇ ସତର୍କ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଏସଆରସି।  ବାତ୍ୟାରେ  ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି । ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲା ସହ ନୟାଗଡ ଜିଲ୍ଲାପାଳଙ୍କୁ ସତର୍କ  ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କନ୍ଧମାଳ, କୋରାପୁଟ, ଗଂଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲାରେ  ଅଧିକ ପ୍ରଭାବ ପଡିବ । ଏସବୁ ଜିଲ୍ଲାରେ ୪୨ଟି ଓଡ୍ରାଫ ଟିମ୍ , ୨୪ ଟି ଏନଡ଼ିଆରଫ ଟିମ୍ ଏବଂ ୧୦୨ ରୁ ଅଧିକ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। 

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍କଳନ ଆଶଙ୍କା ରହିଛି। ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଆଗୁଆ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି। ଅଫିସରମାନେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିବେ ନାହିଁ।  ଆସନ୍ନ ପ୍ରସବାଙ୍କୁ ମେଡିକାଲ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦକ୍ଷିଣ ଓଡିଶାର ଜଳ ଭଣ୍ଡାରରେ ବନ୍ୟାଜଳ ନିୟନ୍ତ୍ରଣ ଉପରେ ନଜର ରଖିବାକୁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏସ ଆରସି। ତିତିଲି ବାତ୍ୟା ସମୟରେ ପବନ ଅପେକ୍ଷା ପ୍ରବଳ ବର୍ଷା ଯୋଗୁଁ ଗଜପତିରେ ଭୁସ୍ଗଳନ ହୋଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ତାହାକୁ ଆଖିରେ ରଖି ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.