ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, କିନ୍ତୁ ବିପଦ ନାହିଁ : ୧୦ ତାରିଖରେ ପୁଣି ଏକ ଲଘୁଚାପ ଆଶଙ୍କା

Published By : Prameya-News7 Bureau | May 08, 2020 IST

ଭୁବନେଶ୍ବର ୮|୫ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ପାଗ ବି ଅନୁକୂଳ ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବା ସମ୍ଭାବନା ଅଛି । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା କମ୍‌ ରହିଛି । ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲକୁ ଅନୁଧ୍ୟାନ କରି ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ଡକ୍ଟର ପଶୁପାଳକଙ୍କ କହିବା ଅନୁସାରେ, ଗତ ୧ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଆଉ ଘନୀଭୂତ ହେବାର ସମ୍ଭାବନା ନାହିଁ । ତେବେ ଆଉ ଏକ ଲଘୁଚାପ ପାଇଁ ପାଣିପାଗ ପୂରା ଅନୁକୂଳ ରହିଛି । ଦକ୍ଷିଣ ବଙ୍ଗୋପସାଗରରେ ଜଳପତ୍ତନ ତାପମାତ୍ରା ୩୦-୩୧ ଡିଗ୍ରୀ ପାଖାପାଖି ରହିଛି । ବାତ୍ୟା ସୃଷ୍ଟି ହେବା ପାଇଁ ଜଳପତ୍ତନ ତାପମାତ୍ରା ୨୭ ଡିଗ୍ରୀରୁ ଅଧିକ ହେବା ଦରକାର । ଏହା ସହିତ ଲଘୁଚାପ ଘନୀଭୂତ ହେବା ପାଇଁ ଉତ୍ତାପ ଅଧିକ ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଜିଏଫଏସ୍‌ ମଡେଲ୍‌ ସମେତ ବିଶ୍ବର ବିଭିନ୍ନ ମଡେଲ ଅନୁଧ୍ୟାନରୁ ଜଣାପଡ଼ିଛି, ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନା ଅଛି ।

ଆସନ୍ତା ୮ ତାରିଖରେ ଦକ୍ଷିଣ ପୂର୍ବ ଆରବ ସାଗରରେ ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଅପରପକ୍ଷରେ ଶ୍ରୀଲଙ୍କା, ତାମିଲନାଡ଼ୁ ନିକଟରେ ଆଉ ଏକ ଘୂର୍ଣ୍ଣିବଳୟ ହେବ । ପରବର୍ତ୍ତୀ ସମୟର ୧୦ ତାରିଖରେ ଦକ୍ଷିଣ ବଙ୍ଗୋପସାଗର କିମ୍ବା ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଦୁଇଟି ଯାକ ଘୂର୍ଣ୍ଣିବଳୟ ମିଶି ଗୋଟିଏ ଲଘୁଚାପରେ ପରିଣତ ହେବ । ତେବେ ଅନ୍ୟ କେତେକ ମଡେଲ୍‌ ଅନୁଯାୟୀ ସୁମାତ୍ରା ପାଖ ଘୂର୍ଣ୍ଣିବଳୟ ନେଇ ନୀରବ ରହୁଛନ୍ତି ।
ଆସନ୍ତା ୧୦ ତାରିଖରେ ଲଘୁଚାପ ହେବା ପରେ ୧୩ରେ ଅବପାତ ଓ ୧୪ରେ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ତେବେ ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହେବ । ଲଘୁଚାପ ସୃଷ୍ଟି ହେବା ପରେ ଏହା ପ୍ରଥମେ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ ।

ଚେନ୍ନାଇଠାରୁ ଦୂରରେ ଦକ୍ଷିଣ ଆନ୍ଧ୍ର ଉପକୂଳର ଦୂରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ । ପରେ ପୂର୍ବ ଉତ୍ତର ପୂର୍ବରେ ଗତି କରି ବାଂଲାଦେଶର ଦକ୍ଷିଣ ପୂର୍ବ ଉପକୂଳ କିମ୍ବା ଏହା ସଂଲଗ୍ନ ଉତ୍ତର ମିଆଁମାର ଆଡ଼କୁ ମୁହାଁଇବା ସମ୍ଭାବନା ଅଛି । ତେଣୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆଡ଼କୁ ଗତି କରିବା କିମ୍ବା ଓଡ଼ିଶାରରେ ପ୍ରଭାବ ପଡ଼ିବା ସମ୍ଭାବନା କମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.