ଭୁବନେଶ୍ୱର,୧୯/୧୦: ବାଲେଶ୍ୱର ପାଖରେ ଘଷି ହୋଇ ଯିବ । ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ପଳାଇବ ବାତ୍ୟା । ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ । କିନ୍ତୁ ଓଡ଼ିଶାରେ ସିଧାସଳଖ ମାଡ଼ ହେବନି । ଏଭଳି ତାଜା ଆକଳନ କରିଛି ଜିଏଫଏସ୍ ମଡେଲ୍ ।
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଇଁବ । ୨୪ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ । ତେବେ ଜିଏଫ୍ଏସ୍ ମଡେଲ ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହୋଇ ସମୁଦ୍ରରେ ଥିବ । ୨୪ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ପାଖକୁ ଆସିବ । ବାଲେଶ୍ୱର ପାଖାପାଖି ଅଞ୍ଚଳ ଦେଇ ଅତିକ୍ରମ କରିବ । ଏହା ବାଂଲାଦେଶ ଆଡ଼କୁ ପଳାଇବ ।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ଉପକୂଳକୁ ଆସିବ । ଏହା ଓଡ଼ିଶାରେ ମାଡ଼ ହୋଇପାରେ । ତେବେ ୨୨ ତାରିଖ ବେଳକୁ ବାତ୍ୟାର ତୀବ୍ରତାକୁ ନେଇ ଠିକ୍ ଆକଳନ କରିହେବ । ଇସି ଏଆଇଏଫଏସ୍ ମଡେଲ ବି ବାତ୍ୟାର ତୀବ୍ରତା ଓ ଗତିପଥକୁ ନେଇ ସାନି ଆକଳନ କରିଛି । ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ନ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯିବ ବୋଲି କହିଛି । କିନ୍ତୁ ସପ୍ତାହ ଯାଏ ଲଘୁଚାପ ଓଡ଼ିଶା ଉପରେ ରହିବ । ଏହା ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଇସିଏମଡବ୍ଲୁଏଫ୍ ପୂର୍ବାନୁମାନ କରି କହିଛି, ଲଘୁଚାପ ସୃଷ୍ଟି ପରେ ଏହା ଓଡ଼ିଶା ଉପରେ ରହିବ । ଏହା ପ୍ରଭାବରେ ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ । ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।